ସୁକିନ୍ଦା: କ’ଣ କରୁଛନ୍ତି ସୁକିନ୍ଦାର ଦକ୍ଷ ବିଧାୟକଗଣ? ଦୀର୍ଘଦିନ ଧରି କ୍ଷମତାସୀନ ଦଳ ବିଜେଡିକୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଆପଣା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମହାମାରୀ ରୋଗ କବଳରୁ ମୁକ୍ତ ରଖିବାକୁ ବିଫଳ ହେଉଛନ୍ତି । ନିର୍ବାଚନରେ ଜିତିଯିବା ପରେ ଭୁବନେଶ୍ୱରରେ ଆଡ୍ଡା ଜମାଇବା ଓ ମୁଖ୍ୟମନ୍ତ୍ରୀଙ୍କ ଚାରିପଟେ ପରିକ୍ରମା କରିବା ବ୍ୟତୀତ ସୁକିନ୍ଦା ବିଧାୟକ ଆଉ କୌଣସି କାମକୁ ଠିକ ଭାବେ ତୁଲାଇ ପାରୁନାହାନ୍ତି ।
ଖଣିଖାଦାନ ଭରା ଅଂଚଳରେ ଭରପୁର ସୁକିନ୍ଦାରେ ଶିଶୁମୃତ୍ୟୁ ଭଳି ଘଟଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚରମ ଅପମାନ ନୁହେଁ କି? ସୁକିନ୍ଦା ବିଧାୟକଙ୍କ ବିଳାସମୟ ଜୀବନ ଯାପନ କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧାରଣ ଲୋକମାନେ ନଗଡ଼ା ଶିଶୁମୃତ୍ୟୁ ପାଇଁ ଦାୟୀ କରୁଛନ୍ତି । ବିଜେଡିର ପ୍ରୀତିରଞ୍ଜନ ଓ ପୂର୍ବରୁ ତାଙ୍କ ବାପା ପ୍ରଫୁଲ୍ଲ ଘଡେଇ ସୁକିନ୍ଦାକୁ ପ୍ରତିନିଧିତ୍ୱ କରି ଆସୁଛନ୍ତି ।
ଉଭୟ ଘଡାଇ ବାପପୁଅ ନଗଡ଼ା ପ୍ରତି ସାମାନ୍ୟ ଦୃଷ୍ଟି ପକାଇ ନାହାନ୍ତି । ସେମାନଙ୍କ କାରଣରୁ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ କଳଙ୍କ ଲାଗିବାକୁ ବସିଛି ।
ଡିସେମ୍ବର ୨୩ ତାରିଖରେ ତଳନଗଡ଼ାର ଫୁଲମଣି ଓ ବିନୁ ପଧାନଙ୍କର ଚାରିବର୍ଷର ଶିଶୁକନ୍ୟା ପ୍ରାଣ ହରାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ କଳଙ୍କ ଲାଗିବା ଭୟରେ ସ୍ୱାସ୍ଥ୍ୟ ବିଭାଗ ତାକୁ ପାରୁପର୍ଯ୍ୟନ୍ତ ଲୁଚାଇବାକୁ ବସିଥିଲା । କିନ୍ତୁ ସତକୁ ଚାପି ରଖିବା ଆଦୌ ସମ୍ଭବ ନୁହେଁ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପାଖରେ ପାଇ ବିନୁ ଆଉ ତାଙ୍କର କୋହ ସମ୍ବରଣ କରିପାରିଲେନି । ପ୍ରଶାସନର ଅସଲ ଚେହେରାକୁ ପଦାରେ ପକାଇ ଦେଇଛନ୍ତି । ବିନୁଙ୍କ ପ୍ରତିକ୍ରିୟାରୁ ଗୋଟିଏ ସତ ହେଉଛି, ପ୍ରଶାସନ ତା’ର ଦାୟିତ୍ୱକୁ ଠିକ ଭାବେ ତୁଲାଇଥିଲେ ତାଙ୍କର ଚାରିବର୍ଷର ଝିଅ ମରି ନଥାନ୍ତା ।