ସଙ୍କଟ ମୋଚନକାରୀ ହନୁମାନ୍ ସର୍ବପ୍ରିୟ ଦେବତା। ସେ ଚିରଞ୍ଜୀବୀ। ଏହି କଳିଯୁଗରେ ମଧ୍ୟ ହନୁମାନ୍ ସ୍ୱଶରୀରରେ ଗୁପ୍ତ ଭାବେ ନିବାସ କରୁଛନ୍ତି। ଭକ୍ତର ପ୍ରାର୍ଥନା ମାତ୍ରେ ତା’ର ସଂକଟ ହରଣ କରିବାକୁ ହନୁମାନ୍ ସୂକ୍ଷ୍ମ ଶରୀର ଧାରଣ କରି ଭକ୍ତ ନିକଟରେ ଉପସ୍ଥିତ ହୁଅନ୍ତି। ଏପରି ବିଶ୍ୱାସ ରହିଛି।
ତେବେ ହନୁମାନ୍ଙ୍କ
ସେହି ଗୋପନ ଦିବ୍ୟ ନିବାସ ସ୍ଥଳ କେଉଁଠି?
ପୁରାଣ ଶାସ୍ତ୍ର ଅନୁସାରେ ହନୁମାନ୍ ଗନ୍ଧମାର୍ଦ୍ଦନ ପର୍ବତରେ ନିବାସ କରନ୍ତି। ଏହି ସ୍ଥାନ କୈଳାସ ପର୍ବତର ଉତର ଭାଗ ସୁମେରୁ ପର୍ବତ ନିକଟରେ ଅବସ୍ଥିତ। ଗନ୍ଧମାର୍ଦ୍ଦନ ପର୍ବତ କୈଳାସର ମାନସରୋବର ଏବଂ ବଦ୍ରିନାଥ ଧାମ ମଝିରେ ରହିଛି। ରାମାୟଣ ବର୍ଣ୍ଣନାନୁସାରେ ଯେବେ ଶ୍ରୀରାମ ଏହି ମର୍ତ୍ୟ ଛାଡିବାକୁ ପ୍ରସ୍ତୁତ ହେଲେ, ପରମ ଭକ୍ତ ହନୁମାନ୍ଙ୍କୁ ଡକାଇ ଏହାର ସଙ୍କେତ ଦେବା ସହିତ ତାଙ୍କୁ ମର୍ତ୍ୟମଣ୍ଡଳରେ ରହିବାକୁ ପରାମର୍ଶ ଦେଇଥିଲେ।
ମହାଭାରତରେ ଗନ୍ଧମାର୍ଦ୍ଦନ ପର୍ବତ ସମ୍ପର୍କରେ ଉଲ୍ଲେଖ ରହିଛି।
ଦ୍ରୌପଦୀଙ୍କ ଇଚ୍ଛା ପୂରଣ କରିବାକୁ ଦ୍ୱିତୀୟ ପାଣ୍ଡବ ଭୀମ ଯେବେ ଶତଦଳପଦ୍ମ ଖୋଜି ଖୋଜି ଗନ୍ଧମାର୍ଦ୍ଦନ ପର୍ବତ ଦେଶରେ ପ୍ରବେଶ କଲେ, ବାଟରେ ଏକ ବୃଦ୍ଧ ମାଙ୍କଡ ତା’ର ଲାଞ୍ଜ ଲମ୍ବାଇ ବସିଥିବାର ଦେଖିଲେ।
ଗର୍ବର ସହ ଭୀମ କହିଲେ ‘ହେ ବୃଦ୍ଧ ବାନର! ଲାଙ୍ଗୁଳ ହଟାଅ, ମୁଁ ଯିବି।’ ମାଙ୍କଡଟି କହିଲା “ମୁଁ ବୃଦ୍ଧ ହୋଇଗଲିଣି। ତୁମେ ଟିକେ ଉଠାଇ ଦିଅ।’ ଭୀମ ଅଟ୍ଟହାସ୍ୟ କରି ଯେବେ ସେହି ଲାଞ୍ଜଟିକୁ ଟେକିଲେ ତାହା ମହାମେରୁ ପରି ଓଜନଦାର ଅନୁଭବ କଲେ।
ଶତ ଚେଷ୍ଟା ସତ୍ୱେ ଲାଞ୍ଜକୁ ଇଂଚେ ଆଡେଇ ପାରିଲେ ନାହିଁ। ଭୀମ ନିଜର ଭୁଲ୍ ବୁଝିପାରି ସେହି ରହସ୍ୟମୟ ମର୍କଟଙ୍କୁ ହାତଯୋଡି କ୍ଷମା ମାଗିବା ସହିତ ପ୍ରକୃତ ପରିଚୟ ଜାଣିବାକୁ ଚାହିଁଲେ।
ହନୁମାନ୍ ନିଜର ସ୍ୱରୂପ ଭୀମଙ୍କ ସମ୍ମୁଖରେ ପ୍ରକଟ କଲେ । ଗନ୍ଧମାର୍ଦ୍ଦନ ପର୍ବତରେ ଆଜି ବି ଅନେକ ମୁନିଋଷି, ଯୋଗୀ ତପସ୍ୟାରତ ବୋଲି କୁହାଯାଏ।
ଏହା ଯକ୍ଷ, ଗନ୍ଧର୍ବ, କିନ୍ନରଙ୍କ ରହଣି ସ୍ଥଳ ଭାବେ ଜଣାଶୁଣା। ତୈତରୟ ଆରଣ୍ୟକରେ କୁବେର ଉତର ଦିଗର ଅଧିପତି ବୋଲି ଦର୍ଶାଯିବା ସହିତ ସେ ଏହି ଗନ୍ଧମାର୍ଦ୍ଦନ ପର୍ବତରେ ନିବାସ କରନ୍ତି ବୋଲି ବର୍ଣ୍ଣନା ରହିଛି।