ନବରଙ୍ଗପୁର: ରାଜ୍ୟର ସାମଗ୍ରିକ ବିକାଶ ଓ ଭିତିଭୂମିକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ସଡ଼କ ଓ ଭିତିଭୂମି ପାଣ୍ଠି (ସିଆରଆଇଏଫ) ଯୋଜନା ଅଧୀନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନିମନ୍ତେ ୭୬୯ କୋଟିରୁ ଅଧିକ ଅର୍ଥରାଶି ମଞ୍ଜୁର କରାଯାଇଛି।
ଏହି ପ୍ରକଳ୍ପଗୁଡ଼ିକ ବିଶେଷ କରି ରାଜ୍ୟର ଉପାନ୍ତ ଓ ଦୁର୍ଗମ ଅଂଚଳରେ ଯୋଗାଯୋଗ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତନ ଆଣିବ। ଏଥିରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ-ଚନ୍ଦାହାଣ୍ଡି-ମାଲଗାଁ ରାସ୍ତାର ପ୍ରଶସ୍ତୀକରଣ ରହିଛି। ଏହି ରାସ୍ତାଟି ଚନ୍ଦାହାଣ୍ଡିରୁ ମାଲାଗାଁ କଳାହାଣ୍ଡି ସୀମାନ୍ତ ଯାଏଁ ୧୧କିମି ରାସ୍ତା ନିର୍ମାଣ କରାଯିବ।
ପୂର୍ତବିଭାଗର ଏସଡିଓ ଇଂ ବିଶ୍ୱରଂଜନ ଦେହୁରୀ କହିଛନ୍ତି, ଉମରକୋଟ-ଚନ୍ଦାହାଣ୍ଡି-ମାଲାଗାଁ ରାସ୍ତାର ୫୨/୦୦ କିଲୋମିଟରରୁ ୬୩/୭୯୬ କିଲୋମିଟର ଯାଏଁ ୧୧କିମି ରାସ୍ତା ପ୍ରଶସ୍ତୀକରଣ କରାଯିବ। ପୂର୍ବରୁ ୫.୫ ମିଟର ରାସ୍ତା ଥିବା ବେଳେ ୧୦ ମିଟର ଚଉଡା ରାସ୍ତା ନିର୍ମାଣ ହେବ। ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. କ୍ଷୀରଧର କନ୍ଧପାଣି କହିଛନ୍ତି, ଏହି ୧୧ କିଲୋମିଟର ମଧ୍ୟରେ ୪ଟି କଲଭର୍ଟ ପ୍ରଶସ୍ତ, ୩ଟି ନୂଆ କଲଭର୍ଟ ନିର୍ମାଣ ସହ ୨ଟି ବ୍ରିଜର ପ୍ରଶସ୍ତିକରଣ କରାଯିବ। ଏହାବାଦ ଆଉ ଗୋଟିଏ ବ୍ରିଜର ପ୍ରଶସ୍ତିକରଣ ଏହି ଅନୁମୋଦନରୁ ବାଦ୍ ପଡିଥିବାରୁ ଏହାକୁ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ଏହି ରାସ୍ତା ପ୍ରଶସ୍ତୀକରଣ ଦ୍ୱାରା ଅଂଚଳର ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ।
ସୀମାନ୍ତ କଳାହାଣ୍ଡି ଜିଲ୍ଲାକୁ ଯିବା ପାଇଁ ଭଲ ରାସ୍ତାଟିଏ ନିର୍ମାଣ ହେବ। ଅପରପକ୍ଷରେ ସମ୍ପ୍ରତି ଉମରକୋଟରୁ ଚନ୍ଦାହାଣ୍ଡି ଯାଏଁ ରାସ୍ତା ନିର୍ମାଣ ଚାଳିଛି। ଚନ୍ଦାହାଣ୍ଡି ଘାଟି ୨ କିଲୋମିଟରକୁ ବାଦ୍ ଦିଆଯାଇଛି।
ତେବେ ଏହି ୨ କିଲୋମିଟର ମରଣଯନ୍ତା ଘାଟି ରାସ୍ତାର ପୁନଃରୁଦ୍ଧାର ଓ ପ୍ରଶସ୍ତୀକରଣ ପାଇଁ ପୂର୍ତ ବିଭାଗ ପକ୍ଷରୁ ନୂଆରେ ୧୨ କୋଟିର ଡିପିଆର ପ୍ରସ୍ତୁତ କରି ଦିଆଯାଇଛି ବୋଲି କହିଛନ୍ତି ଇଂ ଦେହୁରୀ। ଏହା ଅନୁମୋଦନ ହୋଇଆସିଲେ ଉମରକୋଟରୁ ଚନ୍ଦାହାଣ୍ଡି ସୀମାନ୍ତ ଯାଏଁ ୬୩ କିଲୋମିଟର ନୂଆ ପ୍ରଶସ୍ତୀକରଣ ରାସ୍ତା ଜନସାଧାରଣ ବର୍ଷକ ମଧ୍ୟରେ ପାଇପାରିବେ।