ବରଗଡ଼(ସାକ୍ସୀ ନ୍ୟୁଜ୍): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) କାର୍ତ୍ତିକେଶ୍ୱର ବେହେରାଙ୍କ ସମ୍ପତ୍ତି ଉପରେ ମଙ୍ଗଳବାର ସକାଳୁ ଭିଜିଲାନ୍ସର ଚଢ଼ାଉ ଚାଲିଛି। ଫିରିଙ୍ଗିମାଲ ଓ ଗୌରେନମୁଣ୍ଡା ପଞ୍ଚାୟତର ଦାୟିତ୍ୱରେ ଥିବା PEO ଶ୍ରୀ ବେହେରାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ତନାଘନା ଜାରି ରହିଛି ।
ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍, ବରଗଡ଼ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ DSP, ୮ ଜଣ ଇନ୍ସପେକ୍ଟର, ୨ ଜଣ ASI ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ସୂଚନା ଅନୁସାରେ, ଗାଇସିଲେଟ ନିକଟ କନ୍ଦାଗଡ଼ସ୍ଥିତ ବାସଭବନ, ମାର୍କେଟ କମ୍ପ୍ଲେକ୍ସ, ଗୋଦାମ ଘର, ଗାଇସିଲେଟରେ ଥିବା ୪ ମହଲା ନିର୍ମାଣାଧୀନ କୋଠା, କନ୍ଦାଗଡ଼ସ୍ଥିତ ପୈତୃକ ଘର ଏବଂ କାଟାବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଚାମ୍ବରରେ ଏକକାଳୀନ ଯାଞ୍ଚ ଚାଲିଛି ।
ଚଢ଼ାଉ ସମୟରେ କେତେ ପରିମାଣର ସମ୍ପତ୍ତି ଓ ଅନ୍ୟାନ୍ୟ ଦଲିଲ ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି। ସମ୍ପୂର୍ଣ୍ଣ ଯାଞ୍ଚ ପରେ ହିଁ ମୋଟ ସମ୍ପତ୍ତିର ପରିମାଣ ସ୍ପଷ୍ଟ ହେବ ।