ଶ୍ରୀମନ୍ଦିରରୁ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ପୁରୀ(ଏସ୍ ନ୍ୟୁଜ): ପୁରୀ ଜିଲ୍ଲାରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ଏହି ଜିଲ୍ଲାରୁ ଆଜି ୫୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ମୋଟ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଅଯାଇଛି।

ପୁରୀରେ ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜୋତା ଷ୍ଟାଣ୍ଡର ୮ ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଜଗନ୍ନାଥ ଟେମ୍ପଲ ପୁଲିସ୍‌ କର୍ମଚାରୀ ଓ ଜଣେ ମାଳି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାବାଦ ପୁରୀ ଷ୍ଟେଶନରୁ ଜଣେ ୧୩ ବର୍ଷୀୟା ନାବାଳିକା ପର୍ଯ୍ୟଟକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨ ତାରିଖରୁ ରେଳ ଷ୍ଟେଶନରେ ଆଣ୍ଟିଜେନ, ଆରଟିପିସଆର ଟେଷ୍ଟ କରାଯାଉଛି। ଏଯାଏ ରେଳ ଷ୍ଟେଶନରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁରତରୁ ପୁରୀ ଆସିଥିବା ଏକ ଟ୍ରେନରେ ପଶ୍ଚିମବଙ୍ଗର ଏକ ପରିବାର ଜଗନ୍ନାଥ ଦର୍ଶନ ନିମନ୍ତେ ଆସିଥିଲେ। ପୁରୀ ଷ୍ଟେଶନରେ ପହଞ୍ଚିବା ପରେ ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ବାପାମା’ଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୧୩ ବର୍ଷୀୟା ଝିଅର ପଜିଟିଭ ଚିହ୍ନଟ ହେବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାପରେ ମା’ବାପାଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ ସେମାନଙ୍କ RTPCR ଟେଷ୍ଟ କରାଯିବ ବୋଲି ଜଣାଯାଇଛି। । RTPCR ରିପୋର୍ଟ ପଜିଟିଭ ଆସିଲେ ସେମାନଙ୍କର ମଧ୍ୟ ଚିକିତ୍ସା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।