ଓଡ଼ିଶା ଲୁଟିବାରେ କଟିଗଲା ୨୫ ବର୍ଷ

୨୫ ବର୍ଷରେ ୨୫ ଲକ୍ଷ ବେରୋଜଗାର ସୃଷ୍ଟି

୫ଟି ଭାରି ଶିଳ୍ପ କରିପାରିଲେନି ନବୀନବାବୁ…

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ଧରି ଓଡିଶାବାସୀଙ୍କୁ ଲୁଟିବା ଛଡ଼ା ଆଉ କୌଣସି କାମକୁ ଶାସକ ବିଜେଡି ଠିକ ଭାବେ ସମ୍ପାଦନ କରିପାରିନି । ୨୫ ବର୍ଷ ଭିତରେ ୫ଟି ଭାରି ଶିଳ୍ପ ପ୍ରତିଷ୍ଠା କରିପାରିନି ବିଜେଡି । ୨୫ ବର୍ଷ ଭିତରେ ରାଜ୍ୟର ବେରୋଜଗାର ତାଲିକାରେ ୨୫ ଲକ୍ଷ ଯୁବକ ଯୁବତୀଙ୍କୁ ସାମିଲ କରି ବିଜେଡି ଅପୂର୍ବ ଦକ୍ଷତାର ପ୍ରମାଣ ଦେଇଛି । କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ଥିଲାବେଳେ ନବୀନ ପଟ୍ଟନାୟକ ବ୍ରଜରାଜନଗର କାଗଜକଳରେ ତାଲା ଝୁଲିଲା ।
୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେବାପରେ ସମସ୍ତଙ୍କ ମନରେ ଗୋଟିଏ ଆଶା ଥିଲା ଯେ ନବୀନବାବୁଙ୍କ ଅମଳରେ ବ୍ରଜରାଜନଗର କାଗଜ କଳ ହସିବ; କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ହେବାପରେ ମଧ୍ୟ ବ୍ରଜରାଜନଗର କାଗଜ କଳ ନୂଆ ଜୀବନ ପାଇଲାନି । ଯୋଉ ସଂସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ପୁରସ୍କାର’ ପ୍ରଦାନ କରିଛନ୍ତି; ସେମାନେ ନବୀନବାବୁଙ୍କର ଦକ୍ଷତାକୁ ପରଖି ପୁରସ୍କାର ଦେଇଥିବା ମନେହୁଏନା । ନବୀନବାବୁଙ୍କ ଅମଳରେ ଘୋଷିତ କୌଣସିଟି ସରକାରୀ ଯୋଜନା ଶତପ୍ରତିଶତ ସଫଳତା ହାସଲ କରିନି । ମାତ୍ର ଅଘୋଷିତ ଯୋଜନାଗୁଡ଼ିକ ଶତପ୍ରତିଶତ ସଫଳତା ପାଇଛି । ଅଘୋଷିତ ଯୋଜନାଗୁଡ଼ିକ ଭିତରେ ରାଜ୍ୟର ମଠମନ୍ଦିର ଓ ବିଦ୍ୟାଳୟ ନିକଟରେ ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡ଼ିକ ଖୋଲିଛି । ରାଜ୍ୟର ଖଣି, ପାଣି, ଜମିକୁ ଶାଗମାଛ ଦରରେ ରାଜ୍ୟ ବାହାର ଶିଳ୍ପପତିଙ୍କ ହାତକୁ ଟେକି ଦିଆଯାଉଛି ।

ରାଜ୍ୟର ଶାସନଭାରକୁ ପାଂଚଟି ଟାଉଟରଙ୍କ ହାତକୁ ଟେକି ଦିଆଯାଇଛି । ସାଢେ଼ ଚାରିକୋଟି ଲୋକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସରେ ଗଠିତ ରାଜକୋଷକୁ ନାନା ଯୋଜନା ଆଳରେ ଲୁଟିବାର ସୁବନ୍ଦୋବସ୍ତ କରାଯାଇଛି । ସବୁଠାରୁ ଗୋଟିଏ କାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭାବରେ କରିପାରିଛନ୍ତି । ତାହା ହେଉଛି; ଡାହାଣ ହାତରେ ଗରିବଙ୍କ ପକେଟରୁ ଟଙ୍କା ଚୋରି କରି ବାମ ହାତରେ ଦେଇ ନିର୍ବାଚନରେ ଜିତିବା ଓ କ୍ଷମତା ଉପଭୋଗ କରିବା ।
ଆଜି ଏମିତି ସମାଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋତି ପକାଇଛନ୍ତି ଆମ ଜନତା ଦଳ (ଏଜେଡି) ବରିଷ୍ଠ ନେତା ସୀତାରାମ ବେହେରା ।
ସେ ପୁଣି କହିଛନ୍ତି, ପୂର୍ବରୁ ଲୋକମାନେ ମହାପ୍ରଭୁ ଜଗନ୍ନାଥଙ୍କ ଇଛା ନହେଲେ ଗଛର ପତ୍ର ହଲେନି ବୋଲି କହୁଥିଲେ । ମାତ୍ର ଆଜି ବିଜେଡି କର୍ମୀମାନେ ଗାଁ ଗଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା କହି ପ୍ରଚାର କରୁଛନ୍ତି । ନବୀନବାବୁଙ୍କ ବିନା ଅନୁମତିରେ ଗଛର ପତ୍ର ବି ହଲୁନାହିଁ ।

ବିଜେଡି ଅମଳରେ ରାଜ୍ୟରେ ଦୁଷ୍କର୍ମ, ହତ୍ୟା, ଲୁଣ୍ଠନ, ଶିଶୁ ଶୋଷଣ, ନାରୀ ନିର୍ଯାତନା ବଢ଼ିଛି । ବ୍ୟାଙ୍କ ଡକାୟତିଠାରୁ ଆରମ୍ଭ କରି ରାହାଜାନି, ଦାଦାବଟି ଆଦାୟ, ଗାଡ଼ିଚୋରି, କାରଖାନା ଚୋରି, ସଡ଼କ, ପୋଲ, ନାଳ ଚୋରି କାମରେ ବିଜେଡି ସରକାର ଅନ୍ୟ ସବୁ ଦଳକୁ ପଛରେ ପକାଇଛି । ଥାନାଗୁଡ଼ିକ ବିଜେଡିର ସ୍ଥାନୀୟ ଅଫିସ ପାଲଟିଛି । ପୁଲିସ କର୍ମଚାରୀ ଦଳ ପାଇଁ କାମ କରୁଛନ୍ତି ।