ମୁସଲିମ ରାଷ୍ଟ୍ରରେ ବାଜିବ ଶୁଭଶଙ୍ଖ

ପୂଜା ପାଇବେ ୧୬ ଦେବାଦେବୀ

ସଂଯୁକ୍ତ ଆରବ ରାଷ୍ଟ୍ରସଂଘର ସୌନ୍ଦର୍ଯ୍ୟମୟୀ ସହର….

ଦୁବାଇ: ସଂଯୁକ୍ତ ଆରବ ରାଷ୍ଟ୍ରସଂଘର ସୌନ୍ଦର୍ଯ୍ୟମୟୀ ସହର ଦୁବାଇକୁ ଆହୁରି ଆକର୍ଷଣୀୟ କରିବ ସେଠାକାର ହିନ୍ଦୁ ମନ୍ଦିର । ମନ୍ଦିରଟିର ନିର୍ମାଣ କାର୍ଯ୍ୟ ଏବେ ଶେଷ ମୁହୂର୍ତ୍ତରେ । ମନ୍ଦିର ପରିସରରେ ପୂଜା ପାଇବେ ହିନ୍ଦୁ ଧର୍ମର ୧୬ ଜଣ ଦେବାଦେବୀ । ଅକ୍ଟୋବର ୫ ତାରିଖରେ ମନ୍ଦିରଟିର ଉଦ୍‌ଘାଟନ ସମାରୋହ ହେବାର ଯୋଜନା ଅଛି । ମନ୍ଦିର ପରିସରରେ ସବୁ ଧର୍ମର ଲୋକଙ୍କ ପାଇଁ ପ୍ରାର୍ଥନା କେନ୍ଦ୍ର ରହିବା ସହିତ ଧାର୍ମିକ ଆଲୋଚନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଯାବତୀୟ ଉଦ୍ୟମ ଜାରି ରହିଛି । ଏ ବିଷୟ ସ୍ପଷ୍ଟ କରିଛନ୍ତି ମନ୍ଦିର ଟ୍ରଷ୍ଟି ରାଜୁ ସରାଫ ।

ଆଗାମୀ ଦଶହରା ଅବସରରେ ଲୋକମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ମନ୍ଦିର ପରିସରରେ ଶିଖ ଗୁରୁଦ୍ୱାର, ହିନ୍ଦୁ ମନ୍ଦିର ଓ ଚର୍ଚ୍ଚ ରହିଛି । ହିନ୍ଦୁ ଧର୍ମର ପର୍ବପର୍ବାଣୀ ସମୟରେ ମନ୍ଦିରଟି କୋଳାହଳପୂର୍ଣ୍ଣ ରହିବା ଆଶଙ୍କା କରି ପୂଜାସ୍ଥଳଟିକୁ ପ୍ରଶସ୍ତ କରାଯାଇଛି । ଏକା ସମୟରେ ୧୧୦୦-୧୨୦୦ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିପାରିବେ ।