ବାହା ହେବାକୁ ଜିଦ୍‌ କରିବାରୁ ଯୁବତୀଙ୍କୁ ନିଆଁ ଲଗାଇ ମାରିଦେଲା ପ୍ରେମିକ

ଗଞ୍ଜାମ, (ଏସ୍‌ ନ୍ୟୁଜ): ଗଞ୍ଜାମ ପୁରୁଷୋତ୍ତମପୁର ପ୍ରତାପପୁର ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ବାହା ହେବା ପାଇଁ ଜିଦ୍‌ କରିବାରୁ ଯୁବତୀଙ୍କ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଲା ଯୁବକ । ମୃତ ଯୁବତୀ କବିସୂର୍ଯ୍ୟନଗର ଥାନା କଳମ୍ବ ଗ୍ରାମର ଯୁବତୀ ବୋଲି ଜଣାପଡ଼ିଛି ।

ସେହିପରି ଅଭିଯୁକ୍ତ ପ୍ରେମିକ ପ୍ରତାପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କୁ ଅଟକ ରଖାଯାଇଥିବା ପୋଲିସ ସୂଚନା ଦେଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଯୁବତୀ, ଯୁବକଙ୍କୁ ପ୍ରତାପପୁର ନିକଟରେ ଥିବା ଅବ୍ୟବହୃତ ଫ୍ୟାକ୍‌ର୍ଟି ନିକଟକୁ ଡାକିଥିଲେ । ସେଠାରେ ଯୁବତୀ ଜଣଙ୍କ ବାହା ହେବା ପାଇଁ ଜିଦ୍‌ କରିବାରୁ ଯୁବକ ଜଣଙ୍କ ରାଗିଯାଇ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଯୁବତୀଙ୍କ ଚିତ୍କାର ଶୁଣି ପାଖ ବିଲରେ କାମ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଲୋକମାନେ ଖବର ଦେବାପରେ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନା ନେଇଥିଲେ । ଶରୀରର ପ୍ରାୟ ୮୦ ଭାଗ ଜଳି ଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପୁରୁଷୋତ୍ତମପୁର ମେଡିକାଲ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି । କିନ୍ତୁ ମୃତ୍ୟୁ ପୂର୍ବରୁ ପୋଲିସ ଆଗରେ ବୟାନ ଦେଇଛନ୍ତି ସଂପୃକ୍ତ ଯୁବତୀ ।