ବୋଷ୍ଟନ୍‌ରେ ପାଳିତ ହେବ ଭାରତୀୟ ସ୍ୱାଧୀନତା ଦିବସ

ଚଳିତ ବର୍ଷ ଅଗଷ୍ଟ ୧୫ରେ ଭାରତ ପାଳନ କରିବ….

ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ ୧୫ରେ ଭାରତ ପାଳନ କରିବ ୭୫ତମ ସ୍ୱାଧୀନତା ଦିବସ । ଏହି କ୍ରମରେ ବୋଷ୍ଟନ୍‌ରେ ପାଳିତ ହେବ ଭାରତୀୟ ସ୍ୱାଧୀନତା ଦିବସ । ଏଥିରେ ୩୨ଟି ଦେଶ ଭାଗ ନେବେ । ଏ ଅବସରରେ ଏକ ବିମାନ ୨୨୦ ଫୁଟର ଭାରତୀୟ ଜାତୀୟ ପତାକା ସହିତ ପ୍ରମୁଖ ଆମେରିକୀୟ ସହରରେ ଉଡ଼ାଣ ଭରିବ । ବୋଷ୍ଟନରେ ଭାରତର ସ୍ୱାଧୀନତା ଦିବସ ପାଳନ ଇତିହାସରେ ଚଳିତ ବର୍ଷର ସମାରୋହ ବିଭିନ୍ନ ଦୃଷ୍ଟିରୁ ପ୍ରଥମ ବୋଲି ପ୍ରଖ୍ୟାତ କମ୍ୟୁନିଟି ଲିଡର ଅଭିଷେକ ସିଂହ କହିଛନ୍ତି । ମାସାଚୁସେଟ୍ସର ଗଭର୍ନର ଚାର୍ଲି ବେକର ୭୫ତମ ସ୍ୱାଧୀନତା ଦିବସକୁ ଭାରତ ଦିବସ ରୂପେ ଘୋଷଣା କରିଛନ୍ତି ।

ଆସନ୍ତା ୧୫ ତାରିଖରେ ଏହା ମାସାଚୁସେଟ୍ସର ବୋଷ୍ଟନ ସ୍ଥିତ ଇଣ୍ଡିଆ ଷ୍ଟ୍ରିଟରେ ପାଳିତ ହେବ । ଏହାର ପୂର୍ବ ଦିନ ଅର୍ଥାତ ଅଗଷ୍ଟ ୧୪ରେ ରୋଡ ଦ୍ୱୀପରେ ସ୍ଥିତ ଷ୍ଟେଟ ହାଉସରେ ମଧ୍ୟ ସମାରୋହ ପାଳିତ ହେବ । ଏଫଆଇଏ ନ୍ୟୁ ଇଂଲଣ୍ଡ ଆଜାଦି କା ଅମୃତ ମହୋତ୍ସବ ବ୍ୟାନର ଅଧୀନରେ ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ । ଏହି କାର୍ଯ୍ୟକ୍ରମରେ ଏକ ଭବ୍ୟ ପରେଡ ଆୟୋଜିତ ହେବ । ଦେଶର ବିବିଧତାକୁ ଏହା ପ୍ରତିନିଧିତ୍ୱ କରିବ । ଆମେରିକା ଇତିହାସରେ ପ୍ରଥମ ଥର ୩୨ ଦେଶର ପ୍ରତିଯୋଗୀମାନେ ଏହି ପରେଡ୍‌ରେ ଭାଗ ନେବେ ।