ହାଇଦରର ମୃତ୍ୟୁ ତଥା ଏନକାଉଂଟର ଅଚାନକ ନା ଏହା ଯୋଜନାବଦ୍ଧ?

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ହାଇଦରର ମୃତ୍ୟୁ ଅପରାଧ ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ଏନକାଉଂଟରକୁ ନେଇ ପ୍ରଶ୍ନ ଉଠିଛି । ଓଡ଼ିଶାର ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ସେକ ହାଇଦର ପୋଲିସ ଗୁଳିରେ ନିହତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯଦିଓ ହାଇଦରର ମୃତ୍ୟୁ ସମାଜ ପାଇଁ ମଙ୍ଗଳଦାୟକ, ତଥାପି ଜୀବନହାନୀକୁ ନେଇ ବୁଦ୍ଧିଜୀବୀ ଓ ମାନବାଧିକାର କର୍ମୀ ଏଥିରେ ପ୍ରଶ୍ନ ଉଠାଇଛନ୍ତି । ହାଇଦରର ମୃତ୍ୟୁ ତଥା ଏନକାଉଂଟର ଅଚାନକ ନା ଏହା ଯୋଜନାବଦ୍ଧ ତାହା ତଦନ୍ତ ସାପେକ୍ଷ ବୋଲି ସେମାନେ ମତ ଦେଇଛନ୍ତି ।
ପୋଲିସ ସୂଚନା ଅନୁସାରେ, ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିଲା । ଜଣେ ଇନ୍ସପେକ୍ଟରଙ୍କ ନେତୃତ୍ୱରେ କଟକ ପୋଲିସର ଏକ ସ୍ୱତନ୍ତ୍ର ଟିମ ତାକୁ ଏସକଟରେ ନେଉଥିଲେ । ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଅପରାହ୍ନ ପ୍ରାୟ ୩ଟା ୨୦ରେ ହାଇଦର ପରିଶ୍ରା ଯିବା ପାଇଁ ଜିଦ ଧରିଥିଲେ । ସେଠାରୁ ସେ ପୋଲିସ କର୍ମଚାରୀଙ୍କ ବନ୍ଧୁକ ଛଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଉପାୟ ନ ପାଇ ସୁରକ୍ଷାକର୍ମୀ ତାକୁ ଅଟକାଇବାକୁ ଗୁଳି ଚଳାଇଥିଲେ । ଫଳରେ ଗୁଳିଟି ହାଇଦର ପେଟରେ ବାଜିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି, ପୋଲିସ କୌଣସିତ୍ର ଅପରାଧୀକୁ ଗୁଳି କରିବା ବେଳେ ଗୋଡକୁ ଟାର୍ଗେଟ କରିଥାଏ । ହେଲେ ଆଜି ହାଇଦର ପେଟକୁ ଗୁଳି ମାରିଲା କେମିତି? କମିଶନରେଟ ପୋଲିସର ଲକ୍ଷ୍ୟ ଭେଦୀ ଅଫିସରଙ୍କ ଗୁଳି ପଥଭ୍ରଷ୍ଟ ହେଲା କେମିତି? ବିଗତ ଦିନରେ ଘଟିଥିବା ଏନକାଉଂଟରକୁ ଯଦି ଲକ୍ଷ୍ୟ କରାଯାଏ, ତେବେ ଅନ୍ଧାର ରାତିରେ ବି ପୋଲିସର ଗୁଳି ଅପରାଧୀଙ୍କ ଗୋଡରେ ବାଜିଥିବା ନଜୀର ରହିଛି । ହେଲେ ଦିନରେ କିପରି ପୋଲିସର ଲକ୍ଷ୍ୟଭ୍ରଷ୍ଟ ହେଲା? ଗୋଟିଏ ନୁହେଁ ଦୁଇଟି ଗୁଳି ପେଟରେ ବାଜିଲା କେମିତି? ଯଦି ଏହି ଏନକାଉଂଟର ସତ, ତେବେ ପୂର୍ବ ଏନକାଉଂଟର କ’ଣ ମିଛ?ସେହିପରି ବାରିପଦା ଜେଲରେ ପହଁଚିବାକୁ ଆଉମାତ୍ର କେତେ ସମୟ ଲାଗିଥାନ୍ତା, ହେଲେ ସିମୁଳିଆ ନିକଟରେ ପରିସ୍ରା କରିବାକୁ ଗାଡି ରଖାଗଲା କାହିଁକି? ହାଇଦର ସମ୍ପୂର୍ଣ୍ଣ ସୁସ୍ଥ ନଥିବା ଓ ତାଙ୍କ ଚେହେରାକୁ ଲକ୍ଷ୍ୟ କଲେ, ସେ ପୋଲିସକୁ ଚକମା ଦେଇ ଦୌଡି ପଳାଇଯିବା ଭଳି ତାଙ୍କର ସକ୍ଷମ ନଥିବା ଦେଖାଯାଉଛି । ସେ ଜଣେ ପେଷାଦାର ଅପରାଧୀ ହୋଇ ଏଭଳି ଭୂଲ କରିବେ କେମିତି? ଏଥିସହିତ ପୋଲିସ ତାଙ୍କ ପରିବାର ଲୋକଙ୍କୁ ଖବର ନଦେଇ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତରରଣ କରିବାର ଉର୍ଦ୍ଦେଶ୍ୟ କ’ଣ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ତେବେ ତଦନ୍ତ ପରେ ଏସବୁ ପ୍ରଶ୍ନ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ହସପିଟାଲରୁ ଖସି ଫେରାର ହୋଇ ପୋଲିସକୁ ନାକେଦମ କରିବାର ଏହା ପରିଣାମ ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ଗତ ଏପ୍ରିଲ ୧୦ତାରିଖରେ କଟକ ବଡମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟକର୍ମୀ ଏବଂ ପୁଲିସକୁ ଚକମା ଦେଖାଇ ହାଇଦର ଖସି ପଳାଇଥିଲା । ହାଇଦର ଫେରାର ହୋଇଯିବା ପରେ ଓଡିଶା ପୁଲିସର ନିଦ ହଜିଯାଇଥିଲା । ହାଇଦରକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । କିଛି ଟିମ୍ କଟକରେ ଏବଂ ଅନ୍ୟ କିଛି ଟିମ୍ ରାଜ୍ୟର ଅନ୍ୟସ୍ଥାନରେ ନିୟୋଜିତ ହୋଇଥିଲେ । ଏଥି ସହିତ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରେ ମଧ୍ୟ ସ୍ୱତନ୍ତ୍ର ଟିମ କାମ କରୁଥିଲା । ଶେଷରେ ହାଇଦରକୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା । ସେତେବେଳେ ହାଇଦରକୁ ଏନକାଉଂଟର କରାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ତାହା ହୋଇନଥିଲା । ଉକ୍ତ ଘଟଣାର ଆଉ ଯେମିତି ପୁନରାବୃତି ନହୁଏ ଓ ଅପରାଧଜଗତକୁ କଡାଚେତାବନୀ ଦେବାକୁ ପୋଲିସ ଏଭଳି କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ଏହା ପଛରେ କ’ଣ ରହିଛି, ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ଜଣେ ବରିଷ୍ଟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।