ହରିଓମ୍ ନଗରରେ ଜଘନ୍ୟ ହତ୍ୟାକାଣ୍ଡ

ସମ୍ବଲପୁର,(ଏସ୍‌ ନ୍ୟୁଜ): ସମ୍ବଲପୁର ଧନୁପାଲି ଥାନା ଗୋବିନ୍ଦତାଲା ପୁଲିସ କଲୋନି ପାଖ ହରିଓମ୍ ନଗରରେ ସୋମବାର ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘରେ ତିନିଜଣ ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ନାଁ ଦୀପକ ଯାଦବ।। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ସୁରାଗ ପାଇପାରିନି।
ସୂଚନା ଅନୁଯାୟୀ, ବନିତ ଯାଦବ, ତାଙ୍କ ପତ୍ନୀ ଓ ଦୀପକ ଯାଦବ (୪୦) ଘର ଭିତରେ ଥିଲେ। ରାତି ପ୍ରାୟ ୧୨ଟା ୩୦ରେ ଭୁଜାଲି ମାଡ଼ରେ ଦୀପକର ମୃତ୍ୟୁ ହୋଇଛି। ବନିତ ଗୁରୁତର ଥିବା ବେଳେ ତାଙ୍କୁ ଭୀମସାରରେ ଭର୍ତ୍ତି କରାଯାଇଛି। ବନିତଙ୍କ ପତ୍ନୀ କିଛି କହିବା ଅବସ୍ଥାରେ ନଥିବାରୁ ପ୍ରକୃତ କାରଣ ଜଣା ପଡ଼ିନାହିଁ। ବନିତଙ୍କ ଚେତା ଆସିବ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଦୀପକଙ୍କ ଶରୀରର ଏକାଧିକ ସ୍ଥାନରେ ଭୁଜାଲି ମାଡ଼ ହୋଇଛି। ଉକ୍ତ ଘରଟି ରକ୍ତରେ ଭିଜି ଯାଇଛି। ପୁଲିସ ଉକ୍ତ ଘରକୁ ସିଲ୍ କରିଛି। ହତ୍ୟାକାଣ୍ଡର କାରଣ ଜଣା ପଡ଼ି ନ ଥିଲେ ବି ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ଘଟାଥାଇପାରେ ବୋଲି ଅନୁମାନ କରାଯାଉଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ସୁରାଗ ପାଇପାରିନି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।