‘ପରୀ’ ହତ୍ୟାକାଣ୍ଡରେ ରହିଛି ମନ୍ତ୍ରୀ ଅରୁଣ ସାହୁଙ୍କ ହାତ:ସୌଦାମିନୀ-shaksi news

ଭୁବନେଶ୍ୱର(ଏସ୍ ନ୍ୟୁଜ ): ୫ ବର୍ଷର ଝିଅ ପରୀର ହତ୍ୟାର ସତ ବଖାଣିଛନ୍ତି ମା ସୌଦାମିନୀ । ସେ କହିଛନ୍ତି ଆମ ୫ ବର୍ଷର ଝିଅକୁ ଅପହରଣ କରି ନେଲେ। ଆଖି ଓ କିଡନୀ ତାଡ଼ି ନେଇ ତାକୁ ମାରିଦେଲେ। ଦେଖୁ ଦେଖୁ ୪ ମାସ ବିତି ଗଲାଣି। ପୁଲିସ୍‌ ନିକଟରେ ଗୁହାରି କଲେ ପୁଲିସ୍‌ ଶୁଣୁନି। ନ୍ୟାୟ ପାଇଁ ଯିବାରୁ ନିର୍ଯାତନାର ଶିକାରୁ ହେଉଛୁ। ଆମେ କିପରି ନ୍ୟାୟ ପାଇବୁ।’ ଆଜି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ଉଦ୍ଧାର ହୋଇଥିବା ନୟାଗଡ଼ର ଦମ୍ପତି ଏପରି ଭାବେ ଚିତ୍କାର କରି ନିଜ କୋହକୁ ବଖାଣୁଥିବା ଦେଖିବାକୁ ମିଳିଛି। ଆଉ ତାଙ୍କ ଝିଅ ‘ପରୀ’ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ରହିଛି ବୋଲି ମା ସୌଦାମିନୀ କହିଛନ୍ତି ।

ତେବେ ନ୍ୟାୟ ପାଇଁ ଅପେକ୍ଷା କରି ନିରାଶ ହେବା ପରେ ଆଜି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ଅଶୋକ ସାହୁ ଏବଂ ସୌଦାମିନୀ ସାହୁ । ସେଠାରେ ନିଜ ଦେହରେ ଡିଜେଲ୍ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ମାତ୍ର ଠିକଣା ସମୟରେ ପୁଲିସ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ଏହାପରେ ବି ବାପା ଆଉ ଗୋଟିଏ କଥା କହିଚାଲିଥିଲେ ଆମକୁ ନ୍ୟାୟ ମିଳୁ। ସମ୍ପୃକ୍ତ ଦମ୍ପତି ବିଧାନସଭା ସମ୍ମୁଖରେ ଚିତ୍କାର କରିଛନ୍ତି ।

ନିର୍ଯାତନାର କାହାଣୀ ବଖାଣି ସୌଦାମିନୀ ବଡ ତଥ୍ୟ ସାମ୍ନାକୁ ଆଣିଛନ୍ତି। ସେ ଅହିଛନ୍ତି ଆମେ ନ୍ୟାୟ ମାଗିବାରୁ ଆମକୁ ଗାଁରୁ ବିଦା କରୁଛନ୍ତି। ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ବାବୁଲି ନାଏକ ମୋ ଝିଅକୁ ମାରିଛି। ଘଟଣାରେ ଅରୁଣ ସାହୁଙ୍କ ହାତ ରହିଛି ବୋଲି କହିଲେ ସୌଦାମିନି। ମନ୍ତ୍ରୀ କିଛି କରୁନାହାନ୍ତି, ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ସବୁଆଡୁ ବୁଲି ନିରାଶ ହୋଇଛୁ, କେହି ନ୍ୟାୟ ଦେଉନାହାନ୍ତି। ମୋ ଝିଅକୁ ମାରି ଫିଙ୍ଗି ଦେଲେ, ଆମେ କାହିଁକି ଆଉ ବଞ୍ଚିବୁ ‍ବୋଲି କୋହଭରା କଣ୍ଠରେ କହିଲେ ସୌଦାମିନି। ଏନେଇ ମନ୍ତ୍ରୀ ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


ଅନ୍ୟପଟେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତିକୁ ନେଇ ବିଜେପି ଓ କଂଗ୍ରେସ ଇସ୍ତଫା ଦାବି କରିଛନ୍ତି।ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ତାଙ୍କୁ ତଦନ୍ତ ପରିସରଭୁକ୍ତ କରଯାଇ ପଦରୁ ବହିଷ୍କାର କରଯାଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ସେହିପରି ଗୃହରେ କଂଗ୍ରସ ବିଧାୟକ ନରସିଂହ ମିଶ୍ର ଏହି ଘଟଣା ଉଠାଇଛନ୍ତି । ନୟାଗଡର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ନ୍ୟାୟ ପାଇଁ ବାପା ମାଆ ବିଧାନସଭା ଆଗରେ ଆତ୍ମାହୁତି ଦେବା ଘଟଣାକୁ ସେ ନିନ୍ଦା କରିଛନ୍ତି । ଗୁଇନ୍ଦା କ’ଣ କରୁଥିଲା । ପୁଲିସ କ’ଣ କରୁଥିଲା ବୋଲି କଂଗ୍ରେସ ବିଧାୟକ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖ ସକାଳ ୧୦ଟାରେ ମହିଳାଙ୍କ ଝିଅ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରିନେଇଥିଲେ । ଏନେଇ ନୟାଗଡ଼ ସଦର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଅପହରଣର ୧୦ ଦିନ ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର କେତେ ଖଣ୍ଡ ହାଡ଼ ଘର ପଛପଟୁ ମିଳିଥିଲା। ପୁଲିସ୍‌ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ବେଳେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇ ପାରି ନାହିଁ ।ଖାଲି ଏତିକି ନୁହେ ପୋଲିସ କିଛି ନ କରିବାରୁ ବାଧ୍ୟ ହୋଇ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଥିଲେ ଦମ୍ପତି। ସେଇଠି ମଧ୍ୟ ନିରାଶ ହେବାକୁ ପଡିଥିଲା କାରଣ ଜିଲ୍ଲାପାଳ ଓ ଏସପି କୌଣସି ପଦକ୍ଷେପ ନେଇନଥିଲେ।

ସେପଟେ କିଛି ଦିନ ତଳେ ବିଧାନସଭା ନିକଟରେ ଜଣେ ପୁଅ ତା’ ମାଆର ବେକରେ ଛୁରୀ ଲଗାଇ ଧମକ ଦେଇଥିଲା। ଏବେ ଏହି ଦମ୍ପତିଙ୍କ ଏଭଳି ଆତ୍ମହତ୍ୟା ଉଦ୍ୟମ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏପରିକି ବିଧାନ ସଭା ସମ୍ମୁଖରେ ତ୍ରିସ୍ତରୀୟ କଡା ସୁରକ୍ଷା ଥାଇ ମଧ୍ୟ ବାରମ୍ବାର ଏଭଳି ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ବରୋଧୀ ।