୪ ଘଣ୍ଟା ଭିତରେ ୨୬ ଜଣ କରୋନା ରୋଗୀଙ୍କ ହଠାତ୍‌ ମୃତ୍ୟୁ!

ପାଣାଜୀ,୧୧/୦୫: ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍ଗଳବାର ସକାଳେ ମାତ୍ର ୪ ଘଣ୍ଟା ଭିତରେ ୨୬ ଜଣ କରୋନା ରୋଗୀଙ୍କ ହଠାତ୍‌ ମୃତ୍ୟୁ ମାମଲା ସାମନାକୁ ଆସିଛି। ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୬ ଜଣଙ୍କ ମୃତ୍ୟୁ ରାତି ୨ରୁ ସକାଳ ୬ଟା ମଧ୍ୟରେ ହୋଇଛି । ତେବେ ମୃତ୍ୟୁ କେମିତି, କେଉଁ ପରିସ୍ଥିତିରେ ହେଲା ଏଯାଏ ମୃତ୍ୟୁର କାରଣ କ’ଣ ସେ ବିଷୟରେ ମନ୍ତ୍ରୀ କିମ୍ବା ହସ୍ପିଟାଲ ପକ୍ଷରୁ କିଛି ବି ଜଣାପଡ଼ିନାହିଁ ?

ସ୍ୱାସ୍ଥ୍ୟମନ୍ତ୍ରୀ ରାଣେ ଅକ୍ସିଜେନ ସପ୍ଲାଏରେ ସମସ୍ୟା ସୃଷ୍ଟି ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ହାଇକୋର୍ଟ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁର ତଦନ୍ତ କରିବା ଦରକାର। ଏଥିସହ ହାଇକୋର୍ଟ ଅକ୍ସିଜେନ ସପ୍ଲାଏରେ ହସ୍ତକ୍ଷେପ କରି ହସ୍ପିଟାଲକୁ କେତେ ପରିମାଣର ଅମ୍ଳଜାନ ଯୋଗାଣ ହେଉଛି, ସେ ସଂକ୍ରାନ୍ତରେ ଶ୍ୱେତପତ୍ର ପ୍ରକାଶ କରିବା ଉଚିତ।
ଏହାଦ୍ୱାରା ସବୁକିଛି ଠିକ୍‌ ବାଟରେ ଚାଲିବ। ସୋମବାର ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲକୁ ୧୨୦୦ ଜୁମ୍ବୋ ସିଲିଣ୍ଡର ଆବଶକ୍ୟ ଥିଲା। ହେଲେ ହସ୍ପିଟାଲକୁ କେବଳ ୪୦୦ ସିଲିଣ୍ଡର ସପ୍ଲାଏ ହୋଇଥିଲା। ଯଦି ଅକ୍ସିଜେନ ସପ୍ଲାଏ କମ ରହିଥିଲା, ତା’ହେଲେ ଏହାକୁ ସୁଧାରିବା ପାଇଁ ଆଲୋଚନା ହେବା ଉଚିତ।

ଏହି ହସ୍ପିଟାଲକୁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପିପିଇ କିଟ୍‌ ପିନ୍ଧି ଯାଇଥିଲେ। ସେ ଆକ୍ରାନ୍ତଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଛନ୍ତି। ସେ କହିଛନ୍ତି ଯେ ମେଡିକାଲ ଅକ୍ସିଜେନର ଉପଲବ୍ଧି ଓ ହସ୍ପିଟାଲକୁ ସପ୍ଲାଏ ମଧ୍ୟରେ ସୃଷ୍ଟି ହୋଇଥିବା ବ୍ୟବଧାନ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। କିନ୍ତୁ ସମସ୍ତେ ମନେ ରଖିବାକୁ ହେବ ଯେ ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ନାହିଁ। ସେ ଯେଉଁ ୱାର୍ଡକୁ ଯାଇଥିଲେ, ସେଠାରେ ଅକ୍ସିଜେନ ଉପଲବ୍ଧିରେ ସମସ୍ୟା ଥିବା ସ୍ୱୀକାର କରିବା ସହ ଏହାର ସମାଧାନ ଶୀଘ୍ର ହେବା ଉଚିତ ବୋଲି ସେ କହିଛନ୍ତି।