ରାଜ୍ୟରେ ବଦଳିଲା ପାଣିପାଗ: ବଢ଼ିଲା ତାତି , ଉପରମୁହାଁ ହେବ ପାରଦ

ଦୂର ହେଲା ବାତ୍ୟା ଅସାନୀ ଭୟ । ଏହା ଓଡ଼ିଶାକୁ ନ ଆସି ଆନ୍ଧ୍ରରେ ତାଣ୍ଡବ ରଚିଲା ।ଅବପାତରେ ପରିଣତ ହୋଇ ସମୁଦ୍ର ଭିତରକୁ ଚାଲିଗଲା ଅସାନୀ। ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ପୂର୍ବରୁ ଜାରି କରାଯାଇଥିବା ବେଳେ ଏବେ ବାତ୍ୟା ଟଳିଥିବାରୁ ମତ୍ସ୍ୟଜୀବୀମାନେ ଶୁକ୍ରବାର ଠାରୁ ସମୁଦ୍ରକୁ ଯିବାର ସମ୍ଭାବନା ଦେଖାଦେଇଛି । ରାଜ୍ୟରେ ପାଣିପାଗର ପରିବର୍ତ୍ତନ । ମେଘମୁକ୍ତ ଆକାଶ ସହ ତାପମାତ୍ରାରେ ବୃଦ୍ଧି ଘଟିଛି । ଆଗାମୀ ଦିନରେ ପୂର୍ବରି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଥିତି ସମାନ ରହିଛି ।