ଖୁବଶୀଘ୍ର ‘ବୈଦ୍ୟୁତିକ ଯାନ ପାଣ୍ଠି’ ସ୍ଥାପନ କରାଯିବ

ଭୁବନେଶ୍ୱର: ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୧ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ହୋଇଛି । ଏହି ନୀତି ଅନୁଯାୟୀ ବିଭିନ୍ନ ବର୍ଗର ବୈଦ୍ୟୁତିକ ଯାନ କ୍ରୟ ନିମନ୍ତେ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇବେ। ଏହିସବୁ ପ୍ରୋତ୍ସାହନ ଯୋଗାଇବା ପାଇଁ ସରକାର ଖୁବଶୀଘ୍ର ଏକ ‘ବୈଦ୍ୟୁତିକ ଯାନ ପାଣ୍ଠି’ ସ୍ଥାପନ କରିବାକୁ ଯାଉଛନ୍ତି। କରୁଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ନୀତି ୪ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଛି ।

ଚାରି ଚକିଆ ଯାନ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଓ ସର୍ବୋଚ୍ଚ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ପ୍ରଦାନ,ତିନି ଚକିଆ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୧୦ ହଜାର ଟଙ୍କା ତଥା ଦୁଇ ଚକିଆ ବୈଦ୍ୟୁତିକ ଯାନ କ୍ରୟ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୫୦୦୦ ଟଙ୍କା,କରାଯିବ। ବସ କ୍ରୟ ନିମନ୍ତେ ଗାଡ଼ି ମୂଲ୍ୟର ୧୦ ପ୍ରତିଶତ ଏବଂ ସର୍ବୋଚ୍ଚ ୪ ଲକ୍ଷ ଟଙ୍କା ପ୍ରୋତ୍ସାହନ ଯୋଗାଇ ଦେବାକୁ ଥିବାବେଳେ ମାଲବାହୀ ଯାନ ପାଇଁ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ଦିଆଯିବ। ଯଦି କେହି ନିଜସ୍ୱ ବ୍ୟବହାର ପାଇଁ ବୈଦ୍ୟୁତିକ ଗାଡ଼ି କିଣିବାକୁ ଋଣ କରିବେ, ତେବେ ଋଣ ଉପରେ ୫ ପ୍ରତିଶତ ସୁଧ ଛାଡ଼ କରାଯିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁବର୍ଗର ବୈଦ୍ୟୁତିକ ଯାନର ପଞ୍ଜୀକରଣ ଓ ମୋଟର ଯାନ ଟିକସ ଦେୟ ମଧ୍ୟ ଛାଡ଼ କରାଯିବାର ବ୍ୟବସ୍ଥା କରାଯାଉଛି।

ଅଣୁ, ମଧ୍ୟମ ଓ କ୍ଷୁଦ୍ର ନୀତି-୨୦୧୬ ଅନୁସାରେ ସମସ୍ତ କ୍ଷୁଦ୍ର ଓ ଅଣୁ ବ୍ୟାଟେରି ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ମିଳିବ। ବୈଦ୍ୟୁତିକ ଯାନ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଶତପ୍ରତିଶତ ନିଟ୍‌ ଏସଜିଏସଟି ଛାଡ଼ କରାଯିବ। ଏହି ଉଦ୍ୟୋଗୀମାନଙ୍କ ନିମନ୍ତେ ବ୍ୟାଟେରି ଉତ୍ପାଦନ ପାଇଁ ଷ୍ଟାର୍ଟଅପ୍‌ ପଲିସି ଅନୁଯାୟୀ ସମସ୍ତ ସୁବିଧା ଉପଲବ୍ଧ ହେବ। ସେହିପରି ବିଭିନ୍ନ ସହରଗୁଡ଼ିକରେ ବୈଦ୍ୟୁତିକ ଯାନ ଗୁଡ଼ିକ ପାଇଁ ରହିଥିବା ପାର୍କିଂ ଫିସରେ ରିହାତି ମିଳିବ। ବ୍ୟାଟେରି ଚାର୍ଜିଂ ଷ୍ଟେସନଗୁଡ଼ିକୁ ବିଦ୍ୟୁତ ଶୁକ୍ଳ ନିମନ୍ତେ ମଧ୍ୟ ରିହାତି ଦିଆଯିବାର ବନ୍ଦୋବସ୍ତ ରହିଛି।