ମାର୍ଚ୍ଚ ୨୦୨୨ ସୁଦ୍ଧା ମୋଟ୍‌ ରାଜସ୍ୱ ସଂଗ୍ରହ ପରିମାଣ ୫୦,୯୭୮ କୋଟି ଟଙ୍କା (ଆନୁମାନିକ)ରେ ପହଞ୍ଚିଛି

୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହରେ ୨୭% ସାମଗ୍ରିକ ଅଭିବୃଦ୍ଧି ରେକର୍ଡ କଲା କେନ୍ଦ୍ରୀୟ ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ସୀମା ଶୁଳ୍କ ବିଭାଗର ଭୁବନେଶ୍ୱର ଜୋନ୍‌

ଭୁବନେଶ୍ୱର, (ପିଆଇବି)ତା ୧/୪: ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ଜୋନ୍ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ମାର୍ଚ୍ଚ ୨୦୨୨ ସୁଦ୍ଧା ମୋଟ୍ ରାଜସ୍ୱ ସଂଗ୍ରହ ପରିମାଣ ୫୦,୯୭୮ କୋଟି ଟଙ୍କା (ଆନୁମାନିକ)ରେ ପହଞ୍ଚିଛି । ଜିଏସ୍‌ଟି, ସୀମା ଶୁଳ୍କ ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଦି ବିଭିନ୍ନ ବର୍ଗରେ ଗତ ଆର୍ଥିକ ବର୍ଷ ତୁଳନାରେ ରାଜସ୍ୱ ସଂଗ୍ରହ ୨୭% ବୃଦ୍ଧି ପାଇଛି । ଲାକ୍ଷାଦ୍ଵୀପ ଏବଂ ଲଦାଖକୁ ଛାଡ଼ି ଦେଶର ସବୁ ବୃହତ ଟିକସ ପ୍ରଦାନକାରୀ ରାଜ୍ୟମାନଙ୍କ ମଧ୍ୟରେ ଏହି ଜୋନ୍ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ କରିପାରିଛି ।

ମାର୍ଚ୍ଚ ୨୦୨୨ରେ ଜାତୀୟ ସ୍ତରରେ ମୋଟ ଜିଏସଟି ରାଜସ୍ୱ ସଂଗ୍ରହ ୧,୪୨,୦୯୫ କୋଟି ଟଙ୍କା ରହିଛି ଯାହାକି ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ପୂର୍ବରୁ ଜାନୁଆରୀ ୨୦୨୨ରେ ସର୍ବାଧିକ ୧,୪୦,୯୮୬ କୋଟି ଟଙ୍କାର ରେକର୍ଡ ପରିମାଣର ରାଜସ୍ୱ ସଂଗୃହିତ ହୋଇଥିଲା । ଭୁବନେଶ୍ୱର ଜୋନ୍‌ର ମୁଖ୍ୟ ଆୟୁକ୍ତ ଆର ମଙ୍ଗବାବୁ କହିଛନ୍ତି ଯେ ଶିଳ୍ପ ଏବଂ ଆର୍ଥିକ ଗତିବିଧି ବୃଦ୍ଧି ପାଇବା କାରଣରୁ ଜିଏସ୍‌ଟି ସଂଗ୍ରହ ବଢ଼ିଛି, ଫଳରେ ଟିକସ ସଂଗ୍ରହରେ ସାମଗ୍ରିକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ମାର୍ଚ୍ଚ ୨୦୨୨ରେ କେନ୍ଦ୍ରୀୟ ଜିଏସଟି ରାଜସ୍ୱ ସଂଗ୍ରହ ପରିମାଣ ୧୪୬୫ କୋଟି ଟଙ୍କା ରହିଛି ଯାହାକି ଗତବର୍ଷର ସମାନ ଅବଧି ତୁଳନାରେ ୪୩% ଅଧିକ । କୋଭିଡ ମହାମାରୀ ସତ୍ତ୍ବେ ବସ୍ତୁ ଓ ସେବା ଯୋଗାଣରେ ବୃଦ୍ଧି ହୋଇଛି ଯାହାକି ଜିଏସ୍‌ଟି ସଂଗ୍ରହ ବୃଦ୍ଧିରୁ ପ୍ରମାଣିତ ହୋଇଛି । ଏହି ଜୋନରେ ନଗଦ ଆକାରରେ ଜିଏସ୍‌ଟି ଟିକସଦାତାମାନେ ପଇଠ କରିଥିବା ରାଜସ୍ୱର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ଏହି କ୍ଷେତ୍ରରେ ଗତ ଆର୍ଥିକ ବର୍ଷ ତୁଳନାରେ ୮୭% ଅଭିବୃଦ୍ଧି ହୋଇଛି । ଜିଏସଟି ଆକାରରେ ରାଜସ୍ୱ ସଂଗ୍ରହ ପରିମାଣ ୮୭.୫୦% ଏବଂ ସୀମା ଶୁଳ୍କ ଆକାରରେ ରାଜସ୍ୱ ସଂଗ୍ରହ ପରିମାଣ ୬୫.୪୬% ବୃଦ୍ଧି ପାଇଛି । ଏହି ଜୋନରେ ମୁଖ୍ୟତଃ ଇସ୍ପାତ, ଖଣି ଓ ଖଣି ସେବା, ଠିକା କାମ ସେବା କ୍ଷେତ୍ରରେ ରାଜସ୍ୱ ସଂଗ୍ରହ ପରିମାଣ ଗତବର୍ଷ ତୁଳନାରେ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ତୈଳ, କାଗଜ, ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି ।

ଟିକସ ଠକେଇ ଏବଂ ରାଜସ୍ୱ ଫାଙ୍କିବା ଭଳି ଘଟଣା ବିରୋଧରେ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ନକଲି ଇନଭଏସ ଜାରି କରିଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୯୩.୮୩ କୋଟି ଟଙ୍କା ଆଦାୟ କରାଯାଇଛି । ସେହିପରି ଠକାମି ଠାବ କରିବା ପଦ୍ଧତି ଉପଯୋଗ କରିବା ଏବଂ ଇ-ୱେ ବିଲ୍ ଯାଞ୍ଚ ମାଧ୍ୟମରେ ଚଳିତ ଆର୍ଥିକ ବର୍ଷରେ ୩୪୫.୮୩ କୋଟି ଟଙ୍କା ଆଦାୟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରପ୍ତାନି ଏବଂ ଆମଦାନୀ କ୍ଷେତ୍ରକୁ ଦେଖିଲେ ଭୁବନେଶ୍ୱର ଜୋନ୍ ଏହି ଆର୍ଥିକ ବର୍ଷର ମାର୍ଚ୍ଚ ୨୦୨୨ ସୁଦ୍ଧା ୧୧,୧୫୪ କୋଟି ଟଙ୍କାର ସୀମା ଶୁଳ୍କ ସଂଗ୍ରହ କରିଛି । ପୂର୍ବବର୍ଷ ତୁଳନାରେ ଏ କ୍ଷେତ୍ରରେ ୬୫.୪୫% ଅଭିବୃଦ୍ଧି ରେକର୍ଡ କରାଯାଇଛି । ଇଣ୍ଡିଆନ ଅଏଲ୍ କର୍ପୋରେସନ ଲିମିଟେଡ୍ ଦ୍ଵାରା ସର୍ବାଧିକ ଅଶୋଧିତ ତୈଳ ଆମଦାନି ଯୋଗୁ ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଓଡ଼ିଶାର ଖଣି ଅଞ୍ଚଳରୁ ରପ୍ତାନି ହୋଇଥିବା ଲୁହାପଥର ଉପରେ ମଧ୍ୟ ରପ୍ତାନି ଶୁଳ୍କ ସଂଗ୍ରହ କରାଯାଇଛି ।

ଏହାଛଡ଼ା ଭୁବନେଶ୍ୱର ଜୋନ୍ ପକ୍ଷରୁ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ କରାଯାଇଛି । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ନୂଆ ଟିକସଦାତା ସୁବିଧା କେନ୍ଦ୍ର, ଜିଏସଟି ସେବା କେନ୍ଦ୍ର ଏବଂ ସୀମାଶୁଳ୍କ ସେବା କେନ୍ଦ୍ର ଭୁବନେଶ୍ୱର ଏବଂ ପାରାଦୀପ ଠାରେ ଉଦ୍‌ଘାଟିତ ହୋଇଛି । ଏସବୁ କେନ୍ଦ୍ର ଟିକସଦାତାମାନଙ୍କୁ ସହଜରେ କାରବାର ପାଇଁ ସୁବିଧା ପ୍ରଦାନ କରୁଛି । ବର୍ତ୍ତମାନ ଟିକସଦାତାମାନେ ଏସବୁ କେନ୍ଦ୍ରରେ ସେମାନଙ୍କର ବିଭିନ୍ନ ଟିକସ ସଂକ୍ରାନ୍ତ ଅଭିଯୋଗ ଦାଖଲ କରିପାରିବେ । ଏହାଛଡ଼ା ୱାକାଥନ୍, ବୃକ୍ଷରୋପଣ, ଯୋଗ ଅଧିବେଶନ, ବିଭିନ୍ନ ସ୍କୁଲ୍ ଓ କଲେଜରେ ସେମିନାର, ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ଛାୟା ସଂସଦ, ନିଶା ନିବାରଣ କାର୍ଯ୍ୟକ୍ରମ ଆଦି ଏହି ଜୋନ୍ ପକ୍ଷରୁ ଆୟୋଜନ କରାଯାଇଛି । ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ଦକ୍ଷତା ଆଣିବା ପାଇଁ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସୀମାଶୁଳ୍କ କ୍ଷେତ୍ରରେ ଫେସଲେସ ଆସେସମେଣ୍ଟ, ଡାଇରେକ୍ଟ ପୋର୍ଟ ଡେଲିଭରୀ, ଏକ୍ସପୋର୍ଟ କାର୍ଗୋର ଡାଇରେକ୍ଟ ପୋର୍ଟ ଏଣ୍ଟ୍ରୀ ସୁବିଧା ଦିଆଯାଇଛି । ଭାରତ ସରକାରଙ୍କର ବ୍ୟବସାୟିକ ସୁଗମତାର ଅଂଶବିଶେଷ ସ୍ୱରୂପ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ରୀୟ ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ସୀମା ଶୁଳ୍କ ବିଭାଗ ଭୁବନେଶ୍ୱର ଜୋନ୍ ମୁଖ୍ୟ ଆୟୁକ୍ତ ସହଯୋଗ ପାଇଁ ସବୁ ଅଂଶୀଦାର ଏବଂ ଟିକସଦାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।