ଗେହ୍ଲାପୁଅଙ୍କୁ ଘାରିଛି ଆୟକର ଛାଟ

ନୂଆଦିଲ୍ଲୀ: ନିର୍ବାଚନ ବଣ୍ଡକୁ ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ଚିନ୍ତାରେ ପଡ଼ି ଯାଇଛି ନିବେଶକ ମହଲ । ନିର୍ବାଚନ ବଣ୍ଡରେ ଟଙ୍କା ଖଟାଉଥିବା ନିବେଶକଙ୍କ ନାମ ଗୋପନ ରଖାଯାଉଥିଲା; ମାତ୍ର ବଣ୍ଡଧାରୀଙ୍କ ପ୍ରତି ଆୟକର ଛାଡ଼ ସୁବିଧା ମିଳୁଥିଲା । ଚଳିତ ଆର୍ଥିକ ବର୍ଷରେ ଯୋଉମାନେ ନିର୍ବାଚନ ବଣ୍ଡ କିଣିଛନ୍ତି; ସେମାନଙ୍କ ଉପରେ କୋଉ ଆକାଶ ଛିଣ୍ଡିବ; ତାକୁ କେନ୍ଦ୍ର କରି ନିବେଶକଙ୍କ ମନରେ ନାନା ଆଶଙ୍କା ଦେଖାଦେଇଛି ।

ନିର୍ବାଚନ ବଣ୍ଡଧାରୀଙ୍କୁ ଆୟକର ଛାଡ଼ ସୁବିଧା ମିଳିବ କି ନାହିଁ; ନିର୍ବାଚନ ବଣ୍ଡ କିଣିଥିବା ନିବେଶକଙ୍କ ନାମ ଘୋଷଣା କରାଯିବ କି ନାହିଁ, ଏଭଳି ନାନା ପ୍ରଶ୍ନ ଏବେ ଉଭୟ ଶିଳ୍ପ ଜଗତ ଓ ବ୍ୟବସାୟୀଙ୍କୁ ଘାରିଛି ।

ସୂଚନାଯୋଗ୍ୟ, ଇନ୍‌ କମ୍‌ ଟ୍ୟାକ୍ସ ୧୯୬୧ ଧାରା ୮୦ଜିଜି ଓ ଧାରା ୮୦ଜିଜିବି ଆଧାରରେ ନିର୍ବାଚନ ବଣ୍ଡଧାରୀଙ୍କୁ ଆୟକର ଛାଡ଼ ସୁବିଧା ଦିଆଯାଉଥିଲା ।

ଯେକୌଣସି ବ୍ୟକ୍ତି, ସଂସ୍ଥା, ସରକାରୀ ଅଧିକାରୀ ଓ ଅନ୍ୟମାନେ ନିର୍ବାଚନ ବଣ୍ଡ କିଣିବାର ସୁଯୋଗ ପାଇ ଏକାଧାରରେ କ୍ଷମତାସୀନ ଦଳ ଓ ଆୟକର ବିଭାଗ ଦୃଷ୍ଟିରେ ଗେହ୍ଲା ପୁଅ ବୋଲାଉଥିଲେ ।