ଚାଷୀଙ୍କୁ ମନାଇ ପାରିଲେନି ମୋଦି ସରକାର, ୨୧ରୁ ପୁଣି ଆନ୍ଦୋଳନ

ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ: ଅସନ୍ତୁଷ୍ଟ ଚାଷୀଙ୍କୁ କୌଣସି ମତେ ମନାଇ ପାରିଲେନି କେନ୍ଦ୍ର ସରକାର । ଫଳରେ ୨୧ ତାରିଖରୁ ଚାଷୀମାନେ ପୁଣି ଆନ୍ଦୋଳନ କରିବାର ଆଶଙ୍କା କରାଯାଉଛି । ଚାଷୀନେତାଙ୍କ ସୂଚନା ମୁତାବକ ଉତ୍ପାଦିତ ଶସ୍ୟର ସର୍ବନିମ୍ନ ପ୍ରାପ୍ୟ ସଂପର୍କରେ କେନ୍ଦ୍ର ସରକାରଙ୍କ ମନୋଭାବ ଚାଷୀଙ୍କ ପ୍ରତି ଉପହାସ ।

ଚାଷୀମାନେ ୨୩ ପ୍ରକାରର ଶସ୍ୟ ଉପରେ ଏମ୍‌ଏସ୍‌ପି ଗ୍ୟାରେଂଟି ଚାହୁଁଛନ୍ତି । କିନ୍ତୁ କେନ୍ଦ୍ର ସରକାର କେବଳ ଡାଲି ଜାତୀୟ ଦ୍ରବ୍ୟ, ମକା ଓ କପା ଉପରେ ଗ୍ୟାରେଂଟି ଦେବାକୁ ରାଜି । ରବିବାର ଦିନ ରାତି ଅଧ ପର୍ଯ୍ୟନ୍ତ ଚାଷୀ ଓ ସରକାରଙ୍କ ଭିତରେ ଅନୁଷ୍ଠିତ ଆଲୋଚନାରେ ମୋଦୀ ସରକାର ଆସନ୍ତା ୫ ବର୍ଷ ପାଇଁ ଡାଲି ଜାତୀୟ ଶସ୍ୟ, ମକା ଓ କପା କିଣିବାକୁ ରାଜି ହୋଇଥିଲେ । ଚାଷୀମାନେ ଦିଲ୍ଲୀ ଚଲୋ’ ଅଭିଯାନରୁ ଓହରି ଯିବାକୁ ପ୍ରସ୍ତୁତ ଥିଲେ । ସୋମବାର ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ଜଗଜିତ ସିଂ କହିଥିଲେ ଯେ କେନ୍ଦ୍ର ସରକାର ବିଦେଶରୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ବିନିମୟରେ ତାଳ ତେଲ କିଣୁଛନ୍ତି । ଯଦି ସରକାର ଚାଷୀଙ୍କଠାରୁ ସେତିକି ପରିମାଣର ଅର୍ଥ ବିନିମୟରେ ତେଲ କିଣନ୍ତି; ତେବେ ଦେଶର ଚାଷୀଙ୍କୁ ଫାଇଦା ହେବ ।

ସରକାର କେବଳ ଗହମ, ଧାନ ଓ ଡାଲି ଜାତୀୟ ଶସ୍ୟ କିଣିଲେ, ସବୁ ଚାଷୀ ଲାଭବାନ ହେବେନି । ଚାଷୀଙ୍କ ସବୁ ଦାବିକୁ କେନ୍ଦ୍ର ସରକାର ନମାନିବା ପର୍ଯ୍ୟନ୍ତ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିବ ।