ବିଜେଡିକୁ ଅଥୟ କରୁଛି ଅଂଶୁମାନ ଝଡ଼

ଭୁବନେଶ୍ଵର(ସାକ୍‌ସୀ ନ୍ୟୁଜ୍‌): କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି ଅଂଶୁମାନ ମହାନ୍ତି । ଗତ ନିର୍ବାଚନରେ ଅଂଶୁମାନ କଂଗ୍ରେସ ଟିକେଟରେ ରାଜନଗର ବିଧାନସଭା ଆସନ ପାଇଁ ଲଢ଼ି ହାରି ଯାଇଥିଲେ । ନିର୍ବାଚନରେ ହାରି ଯିବା ପରେ ଅଂଶୁମାନ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ମନଇଛା ବାକ୍ୟବାଣ ମାରିଥିଲେ । ସେହି ଗରଳକୁ ନିରବତାର ସହ ପିଇ ଯାଇଥିବା ଦଳୀୟ କର୍ମୀମାନେ ବିଜେଡି ଗୁହାଳରେ ଅଂଶୁମାନଙ୍କ ହାଜିରାକୁ ତୀବ୍ର ବିରୋଧ କରୁଛନ୍ତି ।

ରାଜନଗର ବିଧାୟକ ଧ୍ରୁବ ସାହୁ ନିଜକୁ ବିଜେଡିର ଶୃଙ୍ଖଳିତ ସଭ୍ୟ କହି କର୍ମୀମାନଙ୍କୁ ଶାନ୍ତ ରହିବାକୁ ଯେତେ ନେହୁରା ହେଉଛନ୍ତି; ସ୍ଥିତି ସେତିକି ମାତ୍ରାରେ ବିଗିଡ଼ି ଯାଉଛି ।

ଅଂଶୁମାନ ହେଉଛନ୍ତି ରାଜନଗର ଅଂଚଳର ଟାଣୁଆ ନେତା ନଳିନୀ ମହାନ୍ତିଙ୍କ ପୁଅ । ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ କରି ବିଜେଡି ମୁଖିଆ ନଳିନୀ ମହାନ୍ତିଙ୍କୁ ଦଳରୁ ବାହାର କରି ଦେଇଥିଲେ । ଏବେ ତାଙ୍କ ପୁଅକୁ ଦଳରେ ମିଶାଇ ନବୀନ ବାବୁ ଦଳୀୟ କର୍ମୀଙ୍କୁ ଅସନ୍ତୁଷ୍ଟ କରିଛନ୍ତି ।