ବିମାନସେବାକୁ ଶନିଦଶା: ଗୋ-ଫାଷ୍ଟ୍ ଏୟାରଲାଇନକୁ ୧୦ ଲକ୍ଷ ଟଙ୍କା ଜରିମାନା

ବିମାନସେବାକୁ ଶନିଦଶା..

ନୂଆଦିଲ୍ଲୀ: ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌ (ଡିଜିସିଏ) ପକ୍ଷରୁ ଗୋ-ଫାଷ୍ଟ୍‌ ଏୟାରଲାଇନ୍ସକୁ ୧୦ ଲକ୍ଷ ଟଙ୍କାର ଜରିମାନା କରିଛି । ସୂଚନା ମୁତାବକ, ଜାନୁଆରୀ ୯ ତାରିଖରେ ଗୋ-ଫାଷ୍ଟ ବିମାନଟିଏ ବେଙ୍ଗାଲୁରୁ ବିମାନଘାଟିରେ ୫୫ ଜଣ ଯାତ୍ରୀଙ୍କୁ ଛାଡ଼ିଦେଇ ଦିଲ୍ଲୀ ଅଭିମୁଖେ ଉଡ଼ିଗଲା । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଲା ଯେ ଯୋଗାଯୋଗ ସଂଚାର ବିଚ୍ଛିନ୍ନ କାରଣରୁ ଏଭଳି ଗଡ଼ବଡ଼ ହୋଇଥିଲା । ଅସନ୍ତୁଷ୍ଟ ଯାତ୍ରୀମାନେ ସୋସିଆଲ ମିଡିଆରେ ଗୋ-ଫାଷ୍ଟ୍‌କୁ ତୀବ୍ର ସମାଲୋଚନା କରିଥିଲେ । ଯାତ୍ରୀଙ୍କ ଅଭିଯୋଗ ହେଉଛି, ସେମାନେ ବେଙ୍ଗାଲୁରୁସ୍ଥିତ କେମ୍ପେଗୌଡ଼ା ଇଂଟର ନ୍ୟାସନାଲ ବିମାନଘାଟିରେ ବୋର୍ଡିଙ୍ଗ ପାସ୍‌ ନେଇ ଯାତ୍ରୀ ବସରେ ବସିଲେ। ବିମାନ ନିକଟରେ ପହଂଚିବା ସତ୍ୱେ ଗୋ-ଫାଷ୍ଟ ବିମାନଟି କାହାକୁ ନେଲାନାହିଁ।

ଘଟଣାଟିରେ ତାଳି ପକାଇବା ପାଇଁ ଗୋ-ଫାଷ୍ଟ ବହୁ ଚେଷ୍ଟା କରିଥିଲା । ଯାତ୍ରୀଙ୍କୁ କ୍ଷମା ମାଗିଥିଲା । ଘରୋଇ ବିମାନରେ ୧୨ ମାସ ଭିତରେ ଥରୁଟିଏ ଦେୟମୁକ୍ତ ଯାତ୍ରା ଅଫର ଦେଇଥିଲା । ବିବାଦୀୟ ବିମାନର ସବୁ କର୍ମଚାରୀଙ୍କୁ ତଦନ୍ତ ରିପୋର୍ଟ ଦାଖଲ ନହେବା ପର୍ଯ୍ୟନ୍ତ ଡ୍ୟୁଟିରୁ ବରଖାସ୍ତ କରିଛି।

ବିମାନବନ୍ଦରରେ ହିନସ୍ତା ଭୋଗିଥିବା ଯାତ୍ରୀମାନଙ୍କୁ ପ୍ରାୟ ଚାରିଘଂଟା ପରେ ଅନ୍ୟ ଗୋଟିଏ ବିମାନରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଥିଲା । ନିକଟ ଅତୀତରେ ଏୟାର ଇଣ୍ଡିଆର ବିମାନଟିରେ ପରିସ୍ରା କାଣ୍ଡକୁ କେନ୍ଦ୍ର କରି ଡିଜିସିଏ ପକ୍ଷରୁ ଏୟାର ଲାଇନ୍‌କୁ ମାସକ ଭିତରେ ଦୁଇଥର ଜରିମାନା ପାଇଁ ନୋଟିସ୍‌ କରାଯାଇଛି।

ସୂଚନା ମୁତାବକ ଗତ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ନିଶାଗ୍ରସ୍ତ ବ୍ୟକ୍ତି ଆଉ ଜଣେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ । ଏହି ଘଟଣାରେ ଡିଜିସିଏ ସଂପୃକ୍ତ ଏୟାର ଲାଇନ୍‌କୁ ଜରିମାନା ବାବଦକୁ ୩୦ ଲକ୍ଷ ଟଙ୍କା ପଇଠ କରିବାକୁ ନୋଟିସ୍‌ ପଠାଇଥିଲେ ।  ସଂପୃକ୍ତ ବିମାନ ପାଇଲଟଙ୍କ ଲାଇସେନ୍ସକୁ ତିନିମାସ ପାଇଁ ବାତିଲ କରି ଦିଆଯାଇଛି । ଦ୍ୱିତୀୟ ଘଟଣାଟି ଡିସେମ୍ବର ୬ ତାରିଖରେ ଘଟିଥିଲା । ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନଟିରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ଖାଲି ସିଟ୍‌ ଓ କମ୍ବଳ ଉପରେ ପରିସ୍ରା କରି ପକାଇଥିଲେ । ଉକ୍ତ ଘଟଣାରେ ଡିଜିସିଏ ପକ୍ଷରୁ ବିମାନ ସଂସ୍ଥାକୁ ୧୦ ଲକ୍ଷ ଟଙ୍କାର ଜରିମାନା ପଇଠ କରିବାକୁ ନୋଟିସ୍‌ ପଠା ଯାଇଥିଲା।