ଓଡ଼ିଶାର ଜାତୀୟ ରଙ୍ଗ ସବୁଜ ହୋଇଗଲା କି?

‘କ’ଣ ନନା, ରାଜଧାନୀଟା ଖାଲି ସବୁଜ ସବୁଜ ଦିଶୁଛି..

ଭୁବନେଶ୍ୱର,(ସା କ୍ ସୀ ନ୍ୟୁଜ୍): ‘କ’ଣ ନନା, ରାଜଧାନୀଟା ଖାଲି ସବୁଜ ସବୁଜ ଦିଶୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର ନିକଟରୁ କଳିଙ୍ଗ ଷ୍ଟାଡିୟମ ସମେତ ପ୍ରମୁଖ ରାସ୍ତାର ଦୁଇପାଖ ସବୁଜମୟ ଦିଶୁଛି । ଓଡ଼ିଶାର ଜାତୀୟ ରଙ୍ଗଟି ସବୁଜ ହୋଇଗଲା କି?’ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍‌ ଛକରେ ବସ୍‌ରୁ ତଳକୁ ଓହ୍ଲାଇବା ପରେ ଚାରିଆଡ଼କୁ ଟିକେ ଭଲ କରି ଅନାଇବା ପରେ ଗୋଟିଏ ଛୋଟିଆ ପିଲାଟିଏ ତା’ର ବଡ଼ଭାଇକୁ ପଚାରିଦେଲା । ବଡ଼ଭାଇ କ’ଣ ଉତର ଦେବ, ଟିକେ ଭାବିଲା । ସାନଭାଇଟି ପୁଣି ପ୍ରଶ୍ନ କଲା, କିଛି କହୁନୁ ଯେ।

ବଡ଼ଭାଇ ପାଟିରୁ ବାହାରିଗଲା, ଆରେ ଏବେ ବିଜେଡି ଶାସନ କରୁଛି ତ । ବିଜେଡି ପତାକାର ରଙ୍ଗ ସବୁଜ । ସେଇ ସବୁଜ ରଙ୍ଗର କନା ଉପରେ ଶଙ୍ଖ ଚିତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରିୟ ଶଙ୍ଖ । ବିଜୁବାବୁଙ୍କର ପ୍ରିୟ ରଙ୍ଗ ଥିଲା ସବୁଜ । ଏବେ ନବୀନବାବୁ ସେଇ ରଙ୍ଗକୁ ରାଜ୍ୟର ଜାତୀୟ ରଙ୍ଗ ରୂପେ ନୂତନ ପରିଚୟ ଦେବାକୁ ଚାହାଁନ୍ତି।

ସାନଭାଇ ପଚାରିଲା, ହଁ ଆମ ଜାତୀୟ ପତାକାରେ ଥିବା ତିନୋଟି ରଙ୍ଗ ଭିତରୁ ସବୁଜ ରଙ୍ଗ ଗୋଟିଏ ପରା । ବଡ଼ଭାଇ ବୁଝାଇଦେଲା, ‘ହଁ ଯେ, ହେଲେ ଜାତୀୟ ରଙ୍ଗରେ ତିନୋଟି ରଙ୍ଗ ଭିତରୁ ଗୋଟିଏ ବିଜେପି ଆରଟି କଂଗ୍ରେସ ନେଇସାରିଛି । ତୁ ଦେଖିନୁ, କଂଗ୍ରେସର ଧଳା ପତାକା ଉପରେ ଜାତୀୟ ପତାକାର ଛିଟା ପାଖରେ ହାତ ଚିହ୍ନଟି ଦିଶୁଥାଏ । ସେମିତି ବିଜେପିର ଗେରୁଆ ରଙ୍ଗ ଉପରେ ପଦ୍ମଚିହ୍ନ।

ସାନଭାଇ ବୁଝିଗଲା ଭଳି କହିଲା, ‘ଓହୋ, ଇଂରେଜ ସରକାରଙ୍କ ଅମଳରେ ସବୁ ସରକାରୀ କୋଠା, ଶିକ୍ଷାନୁଷ୍ଠାନ, କୋର୍ଟକଚେରୀ ଲାଲରଙ୍ଗରେ ଶୋଭା ପାଉଥିଲା । ଏବେ ନବୀନବାବୁଙ୍କ ଅମଳରେ ସବୁ ସରକାରୀ କୋଠା, ରାସ୍ତାକଡ଼କୁ ସବୁଜ କରାଯାଉଛି । କାଲି ଆଉ ଯିଏ ମୁଖ୍ୟମନ୍ତ୍ରୀ ହେବେ, ତାଙ୍କ ମୁଣ୍ଡକୁ ଯାହା ଜୁଟିବ, ସେଇ ରଙ୍ଗରେ ସାରା ଓଡ଼ିଶାକୁ ରଙ୍ଗାଇ ଦେବେ । ଆଛା ରାଜ୍ୟ ସରକାରଙ୍କ ମନକୁ ପାଇଲା ଭଳି ଗୋଟିଏ ସ୍ଥାୟୀ ରଙ୍ଗଟିଏ କ’ଣ ନାହିଁ? ସାନଭାଇର ପ୍ରଶ୍ନ ଶୁଣି ବଡ଼ଭାଇ ତାଟକା।