ଚାଳକଙ୍କୁ ଘାରିଛି ଘୋଷଡ଼ା ଘୋଷଡ଼ି ନିଶା

Hit-Run-Drug

ହିଟ୍‌ ଆଣ୍ଡ୍‌ ରନ୍‌ ଓ ଡ୍ରଗ୍‌..

ନୂଆଦିଲ୍ଲୀ: ଗତମାସେ ହେବ, ଦେଶର ବିଭିନ୍ନ ଅଂଚଳର ଯାନବାହନ ଚାଳକଙ୍କୁ ଘୋଷଡ଼ା ଘୋଷଡ଼ି ନିଶାଟି ବେଶ ଘାରିଛି । ଗଣମାଧ୍ୟମରେ ଚର୍ଚ୍ଚିତ ହେବାପାଇଁ ଚାଳକଙ୍କୁ ଆଉ କିଛି ବାଟ ଦିଶୁନି । ସଦ୍ୟ ସୂଚନା ମୁତାବକ ଦିଲ୍ଲୀୂରେ ପୁଣି ଗୋଟିଏ ହିଟ୍‌ ଆଣ୍ଡ୍‌ ରନ୍‌ ଓ ଡ୍ରଗ୍‌ ମାମଲା ସାମ୍ନାକୁ ଆସିଛି । ଏହି ଘଟଣାରେ ଜଣେ ପ୍ରାଣ ହରାଇ ଥିଲାବେଳେ ଆଉଜଣେ ଡାକ୍ତରଖାନାରେ ମୃତ୍ୟୁ ସହ ଲଢୁଛି । ପୁଲିସ ଉଦ୍ଦେଶ୍ୟ ବିହୀନ ହତ୍ୟା ମାମଲା ରୁଜୁ କରି ଚାଳକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ।

ଗୁରୁବାର-ଶୁକ୍ରବାର ରାତି ପ୍ରାୟ ତିନିଟାରେ କେଶବପୁର ଥାନା ଅଂଚଳରେ ଦୁଇଟି ପିସିଆର ଭ୍ୟାନ୍‌ ପାଟ୍ରୋଲିଂ କରୁଥିଲା ବେଳେ କହ୍ନେୟାନଗର ଇଲାକା ପ୍ରେରଣା ଛକ ନିକଟରେ ଗୋଟିଏ ଟାଟା ଜେଷ୍ଟ୍‌ କାର ଗୋଟିଏ ଆକ୍ଟିଭାକୁ ଧକ୍କା ଦେଉଥିବାର ପୁଲିସ କର୍ମଚାରୀଙ୍କ ଦୃଷ୍ଟିରେ ପଡ଼ିଲା । ଆକ୍ଟିଭାରେ ବସିଥିବା ଦୁଇଜଣ ଯୁବକଙ୍କ ଭିତରୁ ଜଣେ ଉପରକୁ ଉଠିଯାଇ କାରଟିର ଛାତରେ ପଡ଼ିଲେ । ଆଉ ଜଣେ ଯୁବକ ଛିଟିକି ଯାଇ ୱିଣ୍ଡ୍‌ ସ୍କ୍ରିନ୍‌ ଓ ବନେଟ୍‌ ମଧ୍ୟରେ ଫସିଗଲା । ସ୍କୁଟିଟି ବମ୍ପରରେ ଫସିଗଲା..

ଦୁର୍ଘଟଣା ଘଟାଇଥିବା କାରଟି ଅଟକିବା ବଦଳରେ ତୀବ୍ର ଗତିରେ ଆଗକୁ ମାଡ଼ିଚାଲିଲା । ମାତ୍ର ପିସିଆର ଭ୍ୟାନ୍‌ କାରକୁ ୩୦୦ ମିଟର ପିଛା କରି ଅଭିଯୁକ୍ତ ୫ ଜଣଙ୍କୁ ଧରିଲା । ପିସିଆର ପୁଲିସ ପକ୍ଷରୁ କଂଟ୍ରୋଲ ରୁମକୁ ଦୁର୍ଘଟଣା ସଂପର୍କରେ ସୂଚନା ଦିଆଗଲା । ଦୁଇ ଆହତଙ୍କୁ ଡାକ୍ତରଖାନାକୁ ନିଆଗଲା । ଡାକ୍ତର ପରୀକ୍ଷା କରି ଜଣକୁ ମୃତ ଘୋଷଣା କରିବା ସଙ୍ଗେସଙ୍ଗେ ଅନ୍ୟଜଣକୁ ଡାକ୍ତରଖାନାରେ ରଖି ଚିକିତ୍ସା କରୁଛନ୍ତି ।

ପୁଲିସ ସୂଚନା ମୁତାବକ ଦୁର୍ଘଟଣା ଘଟାଇଥିବା କାର ଚାଳକ ଓ ଅନ୍ୟ ଚାରିଜଣ ଆରୋହୀ ମଦନିଶାରେ ଚୁର ଥିଲେ । ସ୍କୁଟିର ଦୁଇ ଆରୋହୀ ଏକ ବିବାହ ଉତ୍ସବରୁ ଘରକୁ ଯାଉଥିଲେ । ସ୍କୁଟିର ଦୁଇ ଆରୋହୀଙ୍କ ନାମ କୈଲାସ ଭଟନାଗର ଓ ସୁମିତ ଖାରୀ ବୋଲି ଜଣାପଡ଼ିଛି । ଦୁହେଁ ଏକ ଜିନ୍ସ ଉତ୍ପାଦନ କାରଖାନାରେ କାମ କରୁଥିଲେ । ମୃତ ଯୁବକଙ୍କ ନାମ କୈଲାସ ଭଟନାଗର ।