ନବୀନ ଓଡ଼ିଶା’ରେ ଠକଙ୍କ ରାଜୁତି: ଗରିବଙ୍କୁ ଟଙ୍କାଟିଏ ଋଣ ଦେଇନି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠିତ ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ନିୟମିତ ଯେତିକି ପରିମାଣର ଜମାରାଶି ସଂଗ୍ରହ କରୁଛନ୍ତି; ତା’ ତୁଳନାରେ ଋଣହାର ଯଥେଷ୍ଟ କମ୍‌ ରହିଛି । ଓଡ଼ିଶାର ଜନତାଙ୍କ ପ୍ରତି ବ୍ୟାଙ୍କଗୁଡ଼ିକର ଏଭଳି ଆଭିମୁଖ୍ୟ ପାଇଁ ଉଭୟ ମୋଦି ସରକାର ଓ ନବୀନ ସରକାରକୁ ଦାୟୀ କରାଯାଇଛି ।

ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବା ଭଳି ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ସବୁ ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଯେତିକି ତତ୍ପରତା ପ୍ରକାଶ କରୁଛନ୍ତି; ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଉଥିବା ନିର୍ଦ୍ଦେଶଗୁଡ଼ିକୁ ପାଳନ କରିବାକୁ ପଛଘୁଂଚା ଦେଉଛନ୍ତି ।ନବୀନ-ମୋଦିଙ୍କ ଅମଳରେ ରାଜ୍ୟର ସାଢେ଼ ଚାରିକୋଟି ଜନତା ଯେତିକି ହିନସ୍ତା ଭୋଗିଛନ୍ତି; ଆଉ କୌଣସି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅମଳରେ ଏଭଳି ହିନସ୍ତା ଭୋଗିନାହାନ୍ତି ।

ବିଗତ ଆର୍ଥିକ ବର୍ଷରେ ୯ଟି ରାଷ୍ଟ୍ରାୟତ ବ୍ୟାଙ୍କ ଓଡ଼ିଶାର ସାଢେ଼ ଚାରିକୋଟି ଜନତାଙ୍କ ଭିତରୁ ଜଣକୁ ଗୃହଋଣ ପ୍ରଦାନ କରିନାହାନ୍ତି । ‘ନବୀନ ଓଡ଼ିଶା’ରେ ଏହାଠାରୁ ବଳି ବଡ଼ ଦୁର୍ବଳ ଶାସନର ପ୍ରମାଣ ଆଉ କ’ଣ ହୋଇପାରେ?ସବୁଠାରୁ ପରିତାପର ବିଷୟ ହେଉଛି, ଓଡ଼ିଶାବାସୀଙ୍କ ଟଙ୍କାରେ ଗଠିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଓଡ଼ିଶାବାସୀଙ୍କୁ ଦୀର୍ଘ ୨୪ ବର୍ଷ ହେଲା ଧୋକା ଦେଇଆସୁଛନ୍ତି । ଗରିବ ଓଡ଼ିଆ ପରିବାରକୁ ସବୁଠାରୁ ବଡ଼ ଧୋକା ଦେଇଛନ୍ତି ଓଡ଼ିଶା ସରକାରଙ୍କ ଗଠିତ ଏହି ଦୁଇଟି ବ୍ୟାଙ୍କ । ସିଟି ୟୁନିୟନ ବ୍ୟାଙ୍କ, ଇଣ୍ଡସ୍‌ ଇଣ୍ଡ୍‌ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଡିବିଏସ ବ୍ୟାଙ୍କ ଲିମିଟେଡ୍‌, ଆର୍ବିଏଜ ବ୍ୟାଙ୍କ ଓ ଷ୍ଟାଣ୍ଡାର୍ଡ ଚାର୍ଟାଡ ବ୍ୟାଙ୍କଗୁଡ଼ିକ ୨୦୨୩-୨୪ ସେପ୍ଟେମ୍ବର ସୁଦ୍ଧା କୌଣସି ଓଡ଼ିଆ ପରିବାରକୁ ବ୍ୟାଙ୍କ ଋଣ ପ୍ରଦାନ କରିନାହାନ୍ତି ।