ଅସଲିକୁ ଚିତାକାଟି ଧରାପଡ଼ିଲା ନକଲି

ଅସଲି କର୍ମଚାରୀ ଓ ନକଲି ମାଲିକ ସଲାସୁତୁରା!

ପୁଲିସର ନିରପେକ୍ଷ ତଦନ୍ତ ଧରିବ ପ୍ରକୃତ ସତ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଖାଉଟି ନିରାପତା ବିଭାଗର ଅଧିକାରୀମାନେ ମାସିକ ଦରମା ଗଣ୍ଡାକ ପାଇ ଅଫିସରେ ଆରାମ କରୁଥିବାରୁ ନକଲି ସଂସ୍ଥାଗୁଡ଼ିକ ନିର୍ଭୟରେ ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତ କରି ଦୋକାନୀଙ୍କ ଜରିଆରେ ଖାଉଟିଙ୍କ ଜୀବନ ସହ ଖେଳୁଛନ୍ତି । ଠକ ଦୋକାନୀମାନେ ମଧ୍ୟ ଅଧିକ ଲାଭ ଆଶା କରି ନକଲି ସଂସ୍ଥାଠାରୁ ଅପମିଶ୍ରିତ ସାମଗ୍ରୀକୁ କମ୍‌ ମୂଲ୍ୟରେ କିଣି ସାଧାରଣ ଖାଉଟିଙ୍କୁ କମ୍ପାନୀ ମୋହର ଲିଖିତ ମୂଲ୍ୟରେ ବିକୁଛନ୍ତି ।

ଅସଲି ଓ ନକଲି ସଂସ୍ଥା ବିଷୟରେ ଦୋକାନୀଙ୍କୁ କିଛି ଅଛପା ନାହିଁ । ତେବେ ଧରାପଡ଼ିଲେ କିଛି ଜାଣିନୁ କହି ଦୋକାନୀମାନେ ଖସିଯିବାର ଅଭିନୟ କରୁଛନ୍ତି । ଖାଦ୍ୟ ନିରାପତା ଅଧିକାରୀ ଅଚାନକ ଭାବେ ଦୋକାନରୁ ଦୋକାନ ବୁଲି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସଂଗ୍ରହ କରି ଅସଲି ଓ ନକଲି ପରୀକ୍ଷା କଲେ, ଦୋକାନୀମାନେ ଲୋକଙ୍କୁ ଠକିବାର ସାହସ କରିବେ ନାହିଁ । ଆଜି ରାଜଧାନୀର ବାଣୀବିହାର ଛକରେ କିଛି ଲୋକଙ୍କଠାରୁ ଏମିତି ଲଘୁ ଆଲୋଚନା ଶୁଣିବାକୁ ମିଳିଥିଲା ।

ପାହାଳ ଥାନା ଶିବଶକ୍ତି ନଗରରେ ଦୀର୍ଘ ୩ ବର୍ଷ ଧରି ଖୋଲିଥିବା ନକଲି କାରଖାନାରୁ ଟାଟା ଲୁଣ ଓ ସର୍ଫ ଏକ୍ସେଲ ଲୋଗୋ ବ୍ୟବହୃତ ନକଲି ସାମଗ୍ରୀକୁ ଜବତ କରାଯାଇଛି । ପୁଲିସ ସୂଚନା ମୁତାବକ ନକଲି କାରଖାନାରୁ ପ୍ରାୟ ୭୦ କ୍ୱିଂଟାଲ ଟାଟାଲୁଣ ପ୍ୟାକେଟ୍‌ ଓ ୫୦ କ୍ୱିଂଟାଲ ସର୍ଫ ଏକ୍ସେଲ ପ୍ୟାକେଟ୍‌ ଜବତ କରାଯାଇଛି । ସବୁ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ।

କାରଖାନାରୁ ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ବ୍ୟବହୃତ କଂଚାମାଲକୁ ମଧ୍ୟ ଜବତ କରିଛି । ତା’ ସହିତ ପ୍ୟାକିଂ ମେସିନ୍‌, ଓଜନ ମେସିନ୍‌, ଲୋଗୋ ମେସିନକୁ ମଧ୍ୟ ଜବତ କରାଯାଇଛି । ଗୋପନୀୟ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲେ ମଧ୍ୟ କାରଖାନା ମାଲିକ ହୃଷିକେଶ ନାୟକ ଖସି ପଳାଇବାକୁ ସକ୍ଷମ ହୋଇଛି । ଶୁଣିବାକୁ ମିଳେ, ଅସଲି କମ୍ପାନୀର କିଛି ବିକ୍ରୟ କର୍ମଚାରୀଙ୍କ ସହିତ ସଲାସୁତୁରା କରି ନକଲି କାରଖାନା ମାଲିକ ବେପାର କରୁଥିଲେ । କମିଶନ ମାମଲାକୁ କେନ୍ଦ୍ର କରି ଅସଲି କାରଖାନା କର୍ମଚାରୀ ଓ ନକଲି କାରଖାନା ମାଲିକଙ୍କ ଭିତରେ ଟଣାଓଟରା ଲାଗିବାରୁ ମାମଲା ସରକାରୀ ଅଧିକାରୀଙ୍କ ନିକଟରେ ପହଂଚିଥିଲା । ଅସଲି କମ୍ପାନୀର ତଦନ୍ତ କର୍ମଚାରୀମାନେ ପୁଲିସ ଆଗରେ କିଛି ଜାଣି ନଥିବାର ଅଭିନୟ କରିଥିଲେ । ପୁଲିସ ଅଭିଯୁକ୍ତ ହୃଷିକେଶ ନାୟକଙ୍କୁ ଗିରଫ କରିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।