ଅନ୍ଧବିଶ୍ୱାସ: ମହିଳାଙ୍କ ଗଳାକାଟି ହତ୍ୟା

ମା’ଙ୍କ ମୃତ୍ୟୁକୁ ଗୁଣିଗାରେଡି ସନ୍ଦେହ

ଅଭିଯୁକ୍ତକୁ ଧରିବା ପାଇଁ ତନାଘନା

ବିଶାଖାପଟନମ୍‌: ଆଜିବି ସମାଜକୁ ବାନ୍ଧି ରଖିଛି ଅନ୍ଧବିଶ୍ୱାସ । ସଭ୍ୟ ସମାଜ ଦୃଷ୍ଟିରୁ ଅନ୍ଧ ବିଶ୍ୱାସର କଳାପରଦା ହଟାଇବା ସମ୍ଭବ ହୋଇ ପାରିନାହାନ୍ତି ଆମ ସରକାର । ଫଳରେ ଜଣେ ୫୬ ବର୍ଷୀୟା ମହିଳା ହତ୍ୟାର ଶିକାର ହୋଇଛନ୍ତି । ଘଟଣାଟି ଆନ୍ଧ୍ର ପ୍ରଦେଶର ଆଲୁରୀ ସୀତାରାମ ରାଜୁ (ଏଏସ୍‌ଆର) ଜିଲ୍ଲାର ଦେବୀପଟନମ୍‌ ପୁଲିସ ଷ୍ଟେସନ୍‌ ଅନ୍ତର୍ଗତ ଡିଏନ୍‌ ପାଲେମ ଅଂଚଳରେ ଘଟିଛି ।

ଦେବୀପଟନମ୍‌ ଥାନାର ସବ୍‌-ଇନ୍‌ସ୍ପେକ୍ଟର କେଭି ନାଗାର୍ଜୁନଙ୍କ ସୂଚନା ମୁତାବକ ଚୌଧୁରୀ ଶ୍ରୀନିବାସ ରେଡ୍ଡୀ ନାମକ ଜଣେ ବ୍ୟକ୍ତି ଗୋଟିଏ ଛୁରା ଧରି କୋଣ୍ଡଲା ସୋମାଲାମ୍ମା ଓରଫ ସୂର୍ଯ୍ୟମଣିଙ୍କ ଗଳା କାଟି ଦେଇଥିଲା । ବିଚାରୀ ସୂର୍ଯ୍ୟମଣି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବା ବେଳେ ନିର୍ଦ୍ଦୟ ଶ୍ରୀନିବାସ ତାଙ୍କ ଛାତିକୁ ବାରମ୍ବାର ଛୁରା ମାରିଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ଅଭିଯୁକ୍ତଙ୍କ ମା’ କିଛିଦିନ ତଳେ ଗଛରୁ ଖସିପଡ଼ି ପ୍ରାଣ ହରାଇଥିଲେ । ମା’ଙ୍କ ମୃତ୍ୟୁ ପାଇଁ ଅଭିଯୁକ୍ତ ଶ୍ରୀନିବାସ ଓ ପରିବାରର ଅନ୍ୟ ଲୋକମାନେ ସୋମାଲାମ୍ମାଙ୍କୁ ଦାୟୀ କରିଥିଲେ ।

ଗ୍ରାମବାସୀମାନେ କହିଛନ୍ତି ଯେ ସୋମାଲାମ୍ମା ଗୁଣି ଗାରେଡି କରି ଶ୍ରୀନିବାସର ମା’ଙ୍କୁ ରୋଗରେ ପକାଇଥିବା ସମ୍ପର୍କରେ ଶ୍ରୀନିବାସ ମନରେ ସନ୍ଦେହ ଉପୁଜିଥିଲା । ତା’ର ମା’ ମରିଯିବାରୁ ଉକ୍ତ ସନ୍ଦେହଟି କ୍ରମେ ଦୃଢ଼ୀଭୂତ ହୋଇଥିଲା । ତେଣୁ ଆଗପଛ ନ ବିଚାରୀ ସୋମାଲାମ୍ମାଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତି ନେଇଥିଲା । ହତ୍ୟା କରିବା ପରେ ଶ୍ରୀନିବାସ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା । ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଟିମ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛି । ପୁଲିସ ମୃତ ସୋମାଲାମ୍ମାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।