ମିଶନ-୨୦୨୪: ମୋଦୀ-ନୀତୀଶ ଟକ୍କର

୫୦୦ ଲୋକସଭା ଆସନରେ ପ୍ରାର୍ଥୀ ମସୁଧା

ଗୋଟିଏ ଘାଟରେ ମମତା ଓ ବାମପନ୍ଥୀ

ନୂଆଦିଲ୍ଲୀ: ମିଶନ-୨୦୨୪ ପାଇଁ ଅଂଟା ଭିଡି ସାରିଲେଣି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସବୁ ବିରୋଧୀ ଦଳକୁ ଏକଜୁଟ କରି ବିଜେପି ମେଂଟ ବିରୋଧରେ ରଣହୁଙ୍କାର ପାଇଁ ନୀତୀଶ କୁମାର ସୋମବାରଠାରୁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ନୂଆଦିଲ୍ଲୀରେ ପହଂଚିବା ପରେ ସେ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଲେ ।

ତା’ପରେ ପରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ, ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଭେଟିଥିଲେ । ବିଜେପିକୁ ଚାରିପଟୁ ଘେରିବା ପାଇଁ ନୀତୀଶ ମନସ୍ଥ କରିଛନ୍ତି । ତେଣୁ ଆଗାମୀ ଦିନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସମ୍ଭାବନା ରହିଛି । ବିହାରରେ ବିଜେପିକୁ କ୍ଷମତାରୁ ହଟାଇବା ପରଠାରୁ ସେ ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ସହିତ ଲଗାତାର ଆଲୋଚନା ଜାରି ରଖିଛନ୍ତି । କେନ୍ଦ୍ର ରାଜନୀତିରୁ ବିଜେପିକୁ ହଟାଇବା ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ ପାଲଟିଛି ।

ଯଦି ନୀତୀଶଙ୍କ ଉଦ୍ୟମ ସଫଳ ହୁଏ, ତେବେ ସବୁ ବିରୋଧୀ ଦଳ ଏକାଠି ହୋଇ କଂଗ୍ରେସ ନେତୃତ୍ୱରେ ମହାଗଠବନ୍ଧନ ବିଜେପିକୁ ମୁକାବିଲା କରିବେ । ଅନ୍ୟୁନ ୫୦୦ଟି ଲୋକସଭା ଆସନରୁ ମୁକାବିଲା କରିବାକୁ ନୀତୀଶ ଉଦ୍ୟମ ଚଳାଇଛନ୍ତି । ଅବଶ୍ୟ ଏପରି ଉଦ୍ୟମ ନୀତୀଶଙ୍କ ପାଇଁ ନୂଆ ନୁହେଁ । ୨୦୧୫ରେ ନୀତୀଶଙ୍କ ଉଦ୍ୟମ ଫଳପ୍ରସୂ ହୋଇ ନଥିଲା ।