ସୁନା ପାଇଁ ତୃତୀୟ ମହାସମର!

୨୦ ବର୍ଷ ପରେ ମାଟିତଳୁ ସୁନା ଖତମ..

ନୂଆଦିଲ୍ଲୀ: ୨୦ ବର୍ଷ ପରେ ମାଟିତଳୁ ସୁନା ମିଳିବନି । ତା’ ମାନେ ସୁନା ପାଇଁ ଦେଶ-ଦେଶ ଲଢେ଼ଇ ହେବ କି? ଦ୍ୱିତୀୟ ବିଶ୍ୱଯୁଦ୍ଧର ହୃଦୟ ବିଦାରକ ଦୃଶ୍ୟ ଦେଖିଥିବା ଲୋକଙ୍କ ଭିତରୁ ଅଧିକାଂଶ ତୃତୀୟ ବିଶ୍ୱଯୁଦ୍ଧ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । କିଛି ମହାତ୍ମା ଭବିଷ୍ୟବାଣୀ କରିଛନ୍ତି, ସମୟ ଆସିବ ମଣିଷ-ମଣିଷ ଭିତରେ ସୁନା ପାଇଁ ଲଢେ଼ଇ ଲାଗିବ । ସେମାନଙ୍କ କଥାକୁ ଆଉ ଟିକେ ନିରୀକ୍ଷଣ କରି ଦେଖିଲେ, ସମୟାନୁକ୍ରମେ ସୁନା ପାଇଁ ବଳଶାଳୀ ଦେଶ ଦୁର୍ବଳ ରାଷ୍ଟ୍ରକୁ ଆକ୍ରମଣ କରି ସୁନା ଲୁଟିନେବ ।

ସୁନା ନାହିଁ ତ ଅନ୍ତର୍ଜାତୀୟ ବଜାରରେ ବ୍ୟବସାୟ ବାଣିଜ୍ୟ ବନ୍ଦ ହୋଇଯିବ । ଯୁକ୍ତରାଷ୍ଟ୍ର ଆମେରିକା ସବୁଠାରୁ ଶକ୍ତିଶାଳୀ କ’ଣ ପାଇଁ? ଆଜିକାଲି ଯାହା ପାଖରେ ଯେତେ ଅଧିକ ସୁନା ମହଜୁଦ ରହିଛି, ଆର୍ଥିକ କ୍ଷେତ୍ରରେ ସେହି ରାଷ୍ଟ୍ର ସେତିକି କ୍ଷମତାଶାଳୀ । ଆନ୍ତର୍ଜାତିକ ସୁନା ସଂଗଠନ ରିପୋର୍ଟ ଅନୁସାରେ ମାଟିତଳୁ ୨ ଲକ୍ଷ ଟନ୍‌ ସୁନା ବାହାର କରାଗଲାଣି । ଆଉ ମାତ୍ର ୫୦ ହଜାର ଟନ୍‌ ସୁନା ମହଜୁଦ ଅଛି । ୧୯୫୦ ପରଠାରୁ ମାଟିତଳୁ ଅଧିକ ସୁନା ବାହାର କରାଯାଇଛି ।
ବହୁ ବିକଶିତ ଦେଶର ଅଭିଜ୍ଞ ଗବେଷକମାନେ ସୁନା ଖୋଜିବା ଆରମ୍ଭ କରିଦେଲେଣି । ଘଂଚ ଅରଣ୍ୟ ତଳଠାରୁ ଆରମ୍ଭ କରି ପାହାଡ଼ ପର୍ବତର ଅଭ୍ୟନ୍ତର ପ୍ରଦେଶ । ବିସ୍ତୀର୍ଣ୍ଣ ମରୁଭୂମି, ମାଳଭୂମି, ବରଫ ଚଟାଣ ତଳଠାରୁ ଆରମ୍ଭ କରି ଅନ୍ୟ ଗ୍ରହ ଉପଗ୍ରହକୁ ଆମ ବୈଜ୍ଞାନିକମାନେ ଘାଂଟିବା ଆରମ୍ଭ କରିଛନ୍ତି । କାରଣ ସୁନା ବିନା ଜୀବନଟା ଶୂନ୍ୟ ହୋଇଯିବ । ସଂସାରଟା ଛାରଖାର ହୋଇଯିବ ।

ଆନ୍ତର୍ଜାତିକ ବଜାରକୁ ସତର୍କତାର ସହ ପରିଚାଳନା କରୁଥିବା ସଂସ୍ଥା ବା ସଂଗଠନଗୁଡ଼ିକ ଚିନ୍ତା ପ୍ରକଟ କରିଛନ୍ତି । ଯୋଉ ଦୁର୍ବଳ ଦେଶର ମାଟିତଳେ ସୁନା ଗଚ୍ଛିତ ରହିଛି, ତାକୁ କଳବଳେ କୌଶଳେ ମାଡ଼ିବସିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଜର୍ମାନୀ, ଫ୍ରାନ୍ସ ଭଳି ରାଷ୍ଟ୍ରଗୁଡ଼ିକ କୂଟନୈତିକ ରଣନୀତି ଆରମ୍ଭ କରିଦେଲେଣି ।

ଆମେରିକା ନିବେଶକ ଜିମ୍‌ ରିଚାର୍ଡସ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ଦି ନ୍ୟୁ କେସ୍‌ ଫର୍‌ ଗୋଲ୍ଡ’ରେ ଉଲ୍ଲେଖ କରାଯାଇଛି, ‘ଯାହା ଭବିଷ୍ୟବାଣୀ ହେଉ, ଖନନ ଜାରି ରହିବ । ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ । ଅପନ୍ତରା ଇଲାକାରେ ଖଣି ପ୍ରତିଷ୍ଠା କରାଯିବ । ଛୋଟଛୋଟ କମ୍ପାନୀ ବଦଳରେ ହାତଗଣତି ଗୋଟିଏ ଅବା ଦୁଇଟି ବଡ଼ କମ୍ପାନୀ ରହିବ । କୁଆକୋଇଲି ରାବଶୂନ୍ୟ ଅଂଚଳରେ ପ୍ରଥମେ ସୁନା କମ୍ପାନୀ ଗଢ଼ି ଉଠିବ । ସୁନା ଖାଲି ହୋଇଯିବାର ମାନେ ଦୁନିଆରୁ ଚାଉଳ ଶେଷ ହୋଇଯିବା ସଙ୍ଗେ ସମାନ । ଚାଉଳ ନମିଳିଲେ ମଣିଷ ବଂଚିବ କେମିତି? ତଲାସ, ତଲାସ, ତଲାସ । ସତେ ଯେପରି ଆବିଷ୍କାର ଓ ଉଦ୍ଭାବନ ବିନା ମଣିଷ ଜୀବନର ମାନେ ବୋଲି କିଛି ନାହିଁ ।