ଏଥର ଗଡ଼ରେ ପଶିଲୁ, ଆରଥରକୁ ଦଖଲ କରିବୁ: କେଜ୍ରିୱାଲ

ଆସିଲାଣି ରାହୁଲଙ୍କର ଚଇତନ କାଟିବା ବେଳ

ଆପ୍‌ରେ ମିଶିଲେ ଦୁଇ କଂଗ୍ରେସ କର୍ପୋରେଟର୍‌..

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ଫଳାଫଳ ଘୋଷଣା କରାଯିବାର ତୃତୀୟ ଦିନରେ କଂଗ୍ରେସକୁ ଶକ୍ତ ଚାପୁଡ଼ା ବାଜିଛି । ଦୁଇଜଣ କର୍ପୋରେଟର୍‌ କଂଗ୍ରେସ ଛାଡ଼ି ଆପ୍‌ରେ ମିଶିଛନ୍ତି । ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀ ନଗର ନିଗମକୁ ମାଡ଼ିବସି ଥିଲା ବିଜେପି । ମାତ୍ର ଏଥର ଦିଲ୍ଲୀ ନଗର ନିଗମ ଚାଲିଯାଇଛି ଆପ୍‌ ଦଖଲକୁ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାକ ଭିତରୁ କେଶ ଉପାଡ଼ିବା ଭଳି ଦିଲ୍ଲୀ ନଗର ନିଗମ ଛଡ଼ାଇ ନେବା ସହିତ ଆପ୍‌ ଗୁଜରାଟ ବିଧାନସଭାରୁ ୫ଟି ଆସନ ଦଖଲ କରିଛି । ଗୋଟିଏ ଆଂଚଳିକ ଦଳ ପକ୍ଷେ ଏହି ସଫଳତା ସାମାନ୍ୟ ନୁହେଁ । କେଜ୍ରିୱାଲଙ୍କ ଭଳି ଜଣେ ସାଧାରଣ ମଣିଷ ରାଜନୈତିକ ଦଳଟିଏ ଗଢ଼ି ଶକ୍ତିଶାଳୀ କଂଗ୍ରେସକୁ ଦିଲ୍ଲୀ ଓ ପଞ୍ଜାବ କ୍ଷମତାରୁ ହଟାଇବା ଓ ଗୁଜରାଟରେ ମୋଦୀଙ୍କ କବଳରୁ ୫ଟି ଆସନ ଛଡ଼ାଇ ନେବା ସହଜ ନୁହେଁ ।

ଆଗାମୀ ଦିନରେ ଆପ୍‌ ଜାତୀୟ ରାଜନୀତି ଖେଳିବାକୁ ଯାଉଛି । ଜାତୀୟ ରାଜନୀତିରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସିପିଆଇ, ସିପିଆଇଏମ୍‌ ଭଳି ଦଳ ଭାଗ ନେଇ ଆଣ୍ଠେଇ ପଡ଼ିଛନ୍ତି । ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ଏବେ ଜାତୀୟ ରାଜନୀତିକୁ ସୁହାଉନି । ତାଙ୍କ ପରେ ଏନ୍‌ସିପିର ଗତି ସମସ୍ତଙ୍କୁ ଅଗୋଚର ।

ମାୟାବତୀଙ୍କର ଅବସ୍ଥା ତଦ୍ରୁପ । ଅଖିଳେଶ ୟୁପିକୁ ନେଇ ସନ୍ତୁଷ୍ଟ । ସାରା ଭାରତକୁ ଦଖଲ କରିବାର ସାହସ ତାଙ୍କ ନିକଟରେ ନାହିଁ । ମମତା ବାନାର୍ଜୀଙ୍କର ହାତ ଥରିଲାଣି । ସିପିଆଇ ଓ ସିପିଆଇଏମ୍‌ ଭଳି ବାମପନ୍ଥୀ ଦଳର ଆଭିମୁଖ୍ୟକୁ ଆଜିର ଯୁବଗୋଷ୍ଠୀ ଗ୍ରହଣ କରିବାକୁ ଅପ୍ରସ୍ତୁତ । ଦଳରେ ଦ୍ୱିତୀୟ ସୀତାରାମ ୟେଚୁରୀ, ଜ୍ୟୋତି ବସୁ, ଡି. ରାଜା ଦେଖିବାକୁ ମିଳୁନାହାନ୍ତି । ତେଣୁ ଏଭଳି ସମୟରେ ଜାତୀୟ ରାଜନୀତିରେ କେଜ୍ରିୱାଲଙ୍କର ଅଭ୍ୟୁଦୟ ସମୟର ଆହ୍ୱାନ ।