ଗଣତନ୍ତ୍ରକୁ ଠିକ୍‌ ଭାବରେ ବୁଝିପାରିଛି ହିମାଚଳ

ମୋଦୀଙ୍କୁ ୨୫, କଂଗ୍ରେସକୁ ୪୦…..

ସିମଲା: ହିମାବଳ ପ୍ରଦେଶ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ଲାଭ କରିଛି କଂଗ୍ରେସ । ୬୮ ଆସନ ବିଶିଷ୍ଟ ବିଧାନସଭାର ୪୦ଟି ଆସନକୁ ଦଖଲ କରିଛି କଂଗ୍ରେସ । ହିମାଚଳ ଭୋଟରମାନେ ପ୍ରକୃତରେ ଗଣତନ୍ତ୍ରର ଅର୍ଥ ବୁଝି ପାରିଛନ୍ତି । କ୍ୱଚିତ୍‌ ବ୍ୟତିକ୍ରମକୁ ବାଦ୍‌ ଦେଲେ, କୌଣସି ଦଳକୁ କ୍ରମାଗତ ସରକାର ଗଠନ କରିବାର ସୁଯୋଗ ଦେଇନି ହିମାଚଳ । ବିଜେପି ହାତରୁ ହିମାଚଳ ପ୍ରଦେଶ ଖସିଯିବାର ଦୁଃଖକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରାମରେ ହଜମ କରିବାର ଅର୍ଥ ହେଉଛି ଗୁଜରାଟରେ ବିଜେପିର ବିପୁଳ ବିଜୟ । ଗୁଜରାଟ ହେଉଛି ମୋଦୀଙ୍କର କର୍ମଭୂମି । କର୍ମଭୂମିଟି ହାତରୁ ଚାଲି ଯାଇଥିଲେ ମୋଦୀଙ୍କୁ ବଡ଼ କଷ୍ଟ ହୋଇଥାନ୍ତା ।

ହିମାଚଳ ପ୍ରଦେଶକୁ ଛୋଟ ରାଜ୍ୟ କହି ବିଜେପି ନିଜକୁ ପ୍ରବୋଧନା ଦେଇଛି ମାତ୍ର । କିନ୍ତୁ ସତକଥା ହେଉଛି, ସେଠାକାର ଭୋଟର ବେଶ ସଚେତନ ଅଛନ୍ତି । ସେମାନଙ୍କୁ ଭୂଅାଁ ବୁଲାଇ ପୁନର୍ବାର କ୍ଷମତା ଦଖଲ କରିିବାକୁ ବିଜେପି ସକ୍ଷମ ହୋଇପାରିନି । ବିଜେପି ୨୫ଟି ଆସନ ଦଖଲ କରିଛି । ହିମାଚଳ ପ୍ରଦେଶରେ ଆପ୍‌ ଗୋଟିଏ ବି ଆସନ ଦଖଲ କରିପାରିନି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ବିଜେପି ନେତା ଜୟରାମ ଠାକୁର ଇସ୍ତଫା ଦେଇଛନ୍ତି ।

ହିମାଚଳରେ ବିଜେପି ହାତରୁ ୬% ଭୋଟ ଚାଲିଗଲା ପରିଣାମ ସ୍ୱରୂପ ହାତରୁ କ୍ଷମତା ଚାଲିଗଲା । ବିଜେପି ହାତରୁ ୨% ଭୋଟ ଖସିଯାଇ କଂଗ୍ରେସ ହାତରେ ପଡ଼ିଲା, ଫଳରେ କଂଗ୍ରେସ ପକେଟକୁ ୪୦ଟି ଆସନ ଚାଲିଗଲା । ଅବଶିଷ୍ଟ ୪% ଭୋଟ ନେଇଗଲେ ବିଜେପିର ବିଦ୍ରୋହୀ ପ୍ରାର୍ଥୀ । ଫଳରେ ସ୍ୱାଧୀନ ପ୍ରାର୍ଥୀମାନେ ତିନୋଟି ଆସନ ଦଖଲ କରିପାରିଲେ । ଆପ୍‌ ଖାତାକୁ ଯାଇଛି ୧.୧% ଭୋଟ ।

ହିମାଚଳ ଭୋଟରଙ୍କ ବିଶ୍ୱାସଭାଜନ ହୋଇପାରିନି ଆପ୍‌ । ବିଜେପି ଓ କଂଗ୍ରେସ ଛଡ଼ା ଅନ୍ୟ ସବୁ ଦଳ ଗତ ନିର୍ବାଚନରେ ପ୍ରାୟ ୯% ଭୋଟ ପାଇଥିଲେ । ମାତ୍ର ଏଥର ନିର୍ବାଚନରେ  ସେହି ସବୁ ଦଳକୁ ୧୩% ଭୋଟ ମିଳିଛି । ବିଜେପି ହାତରୁ ୧୯ଟି ଆସନ ଚାଲିଯିବା ସାମାନ୍ୟ ଘଟଣା ନୁହେଁ । ତେବେ ବିଜୟର ହାର ମାତ୍ର ୧% ଅନ୍ତର କହି ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବଭଳି ହିମାଚଳରେ ବିକାଶ ଧାରାକୁ ଆଗେଇ ନେବେ ବୋଲି କହିଛନ୍ତି ।