୪୮ ଘଂଟା ଓ ୧୪୦୦ କିମି ହଳ ବୁଲାଇବା ପରେ ଧରାପଡ଼ିଲା ହତ୍ୟା ଅଭିଯୁକ୍ତ

ନୂଆଦିଲ୍ଲୀ: ଜଣେ ହତ୍ୟାକାରୀକୁ ଧରିବା ପାଇଁ ପୁଲିସକୁ ଦୀର୍ଘ ୪୮ ଘଂଟା ସମୟ ଓ ୧୪୦୦ କିଲୋମିଟର ବାଟ ଘଂଟାଚକଟା କରିବାକୁ ପଡ଼ିଛି । ପୁଲିସକୁ ପ୍ରାୟ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଗୁଜରାଟ ବୁଲିବାକୁ ପଡ଼ିଛି । ଅଭିଯୁକ୍ତ ଗୁଜରାଟର ଡାବ୍ରି ଥାନା ଅଂଚଳରେ ତା’ର ଲିଭ୍‌-ଇନ୍‌-ପାର୍ଟନରକୁ ହତ୍ୟା କରି ପଳାୟନ କରିଥିଲା । ପୁଲିସ ତାକୁ ରାଜସ୍ଥାନର ଉଦୟପୁରରୁ ଗୋଟିଏ ଆମ୍ବୁଲାନ୍ସ ଭିତରୁ ଗିରଫ କରିଛି ।

ପୁଲିସ ନିକଟରୁ ପ୍ରାପ୍ତ ସୂଚନା ଅନୁସାରେ ଏପ୍ରିଲ ୩ ତାରିଖ ରାତି ପ୍ରାୟ ସାଢେ଼ ୧୦ଟାରେ ପୁଲିସ କଂଟ୍ରୋଲ ରୁମକୁ ଗୋଟିଏ କଲ୍‌ ଆସିଥିଲା । ପୁଲିସ କଲ୍‌ ପାଇ ରାଜାପୁରୀ ଅଂଚଳର ୧୦ ନମ୍ବର ଗଳିରେ ପହଂଚିଥିଲା । ସେଠାରେ ମୁସ୍ତକିନ ନାମକ ଜଣେ ବ୍ୟକ୍ତି ପୁଲିସକୁ ଭେଟି କହିଥିଲେ ଯେ ତାଙ୍କ ଝିଅ ରୁକ୍‌ସାରକୁ ବିପୁଲ ଟେଲର ନାମକ ଜଣେ ବ୍ୟକ୍ତି ହତ୍ୟା କରି ପଳାୟନ କରିଛି । ବିପୁଲ ଓ ରୁକ୍‌ସାର ପ୍ରାୟ ଦେଢ଼ମାସ ଧରି ଗୋଟିଏ ଫ୍ଲାଟରେ ବସବାସ କରୁଥିଲେ ।

ପୁଲିସ ଉକ୍ତ ଫ୍ଲାଟରେ ପହଂଚି ରୁକ୍‌ସାର ଓରଫ ରିୟାଙ୍କୁ ଗୋଟିଏ ରୁମରେ ବସିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲା । ରିୟାଙ୍କ ବେକରେ ଦାଗ ରହିଥିଲା ଓ ଶରୀରରେ ବହୁ କ୍ଷତ ଦେଖିବାକୁ ମିଳିଥିଲା । ଫ୍ଲାଟ୍‌ଟିର ତିନୋଟି ଯାକ ରୁମରେ ବିକ୍ଷିପ୍ତ ଅବସ୍ଥାରେ ଆସବାବପତ୍ର ପଡ଼ିଥିଲା । ମୃତ୍ୟୁ ପୂର୍ବରୁ ରିୟା ଓ ବିପୁଲଙ୍କ ଭିତରେ ବେଶ କିଛି ସମୟ ଧରି ଖଣ୍ଡଯୁଦ୍ଧ ଚାଲିଥିବା କଥା ପୁଲିସ ଜାଣିବାକୁ ପାଇଛି । ଅଭିଯୁକ୍ତ ପୁଲିସ ଗୋଟିଏ ପେସାଦାର ଅପରାଧି; ଗୁଜରାଟର ବିଭିନ୍ନ ଥାନାରେ ତା’ ନାମରେ ପ୍ରାୟ ୧୦ଟି ସଂଗୀନ ମାମଲା ରହିଛି ।