ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ହଇଚଇ ସୃଷ୍ଟି : ୪୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର/ଯାଜପୁର,(ସାକ୍‌ସୀ ନ୍ୟୁଜ୍‌): ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାରାଦେଶରେ ହଇଚଇ ସୃଷ୍ଟି ହୋଇଛି । ୩ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗିରଫଦାରି ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ସେପଟେ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୋଟି ଗୋଟି କରି ଧରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି। ୪୨ ଜଣଙ୍କୁ ଗିରଫ ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । କାଲି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।

ସୂଚନା ଯୋଗ୍ୟ, ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବିଞ୍ଝାରପୁର ବ୍ଲକ୍‌ ବାଚ୍ଛଳ ପଞ୍ଚାୟତର ୨ ନମ୍ବର ବୁଥ୍‌ ଦଖଲ ଓ ଭୋଟ ବାକ୍ସ ଲୁଟ ଉଦ୍ୟମ ହେଉଥିବା ନେଇ ଅଭିଯୋଗ ଆସିଥିଲା । ଏହାର ଖବର ସଂଗ୍ରହ ପାଇଁ କିଛି ଆଗଧାଡି ଗଣମାଧ୍ୟମର ପ୍ରତିନିଧିମାନେ ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ତିନିଟି ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ ଉତ୍ୟକ୍ତ ଲୋକମାନେ ଖୁବ୍ ମାଡ଼ ମାରିଥିଲା । ଯାହାର ଭିଡିଓ ମଧ୍ୟ ସାମନାକୁ ଆସିଥିଲା । କନକ ନ୍ୟୁଜ୍, କଳିଙ୍ଗ ଟିଭି ଏବଂ ଅର୍ଗସ୍ ନ୍ୟୁଜ୍ ର ତିନି ଜଣ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ଦେବାଶିଷ ସାହୁ, ଗୁଲସନ୍ ଅଲ୍ଲୀ ନୱାଜ୍ ଏବଂ ବିଜୟ ସାହୁଙ୍କ ଉପରକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ବୁଥ୍ ରିଜିଂ ଉଦ୍ୟମ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା । ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ସାମ୍ବାଦିକ ମାନଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ। ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।