ସୁରକ୍ଷିତ ନୁହେଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା

ବାଲେଶ୍ୱର: ‘ଆମ ପିଲାକୁ ଆଣିଦିଅ ନହେଲେ ସମସ୍ତେ ହସ୍ପିଟାଲ ପରିସରରେ ଆତ୍ମହତ୍ୟା କରିବୁ ।’ ଗୁରୁବାର ଦିନ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ । କଥା କ’ଣ?

ଜଣେ ନବଜାତଙ୍କ ଖୋଜଖବର ମିଳୁନି । ପିଲାଟିକୁ କେହି ଅପହରଣ କରିଥିବା ଅଭିଯୋଗ କରିଛନ୍ତି ଆଠବାଟିଆ ନିବାସୀ ସୁଶାନ୍ତ ବାରିକ । ସୁଶାନ୍ତଙ୍କର ୭ ଦିନର ନବଜାତକୁ ଜଣ୍ଡିସ ସଂକ୍ରମଣ କରିଥିବାରୁ ଦୁଇଦିନ ତଳେ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ । ପିଲାଟିର ମା’ ମଧ୍ୟ ଡାକ୍ତରଖାନାରେ ରହିଥିଲେ । ପିଲାଟିକୁ ସ୍ପେଶାଲ ନ୍ୟୁବର୍ନ କେୟାର ୟୁନିଟ (ଏସ୍‌ଏନ୍‌ସିୟୁ)ରେ ରଖାଯାଇଥିଲା । ପିଲାଟିର ମା’ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଭେଟିବାକୁ ଯାଇଥିଲେ, ସେଠାରୁ ଫେରି ଦେଖନ୍ତି ତ ପିଲାଟି ବେଡ୍‌ରେ ନାହିଁ ।

କପାଳରେ ହାତ ପିଟି ମହିଳା ଜଣକ ଡାକ୍ତରଖାନା କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ, ଡାକ୍ତରଖାନା କର୍ତୃପକ୍ଷ ଶୁଣି ନଶୁଣିଲା ଭଳି ରହିଲେ ।

ଅନ୍ୟ ଉପାୟ ନପାଇ ପିଲାଟିର ବାପା ସୁଶାନ୍ତ ବାଲେଶ୍ୱର ଥାନାରେ ଅଭିଯୋଗ କରିବା ସହିତ ଡାକ୍ତରଖାନା ପରିସରରେ ପତ୍ନୀ ଓ ପରିଜନଙ୍କ ସହିତ ଧାରଣାରେ ବସିଥିଲେ ।

ପୁଲିସ ବହୁତ ତନାଘନା କରି ପିଲାଟିକୁ ଗୁରୁବାର ବିଳମ୍ବିତ ରାତିରେ ଉଦ୍ଧାର କରିଛି । ପିଲା ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ।

ବାଲେଶ୍ୱର ଡାକ୍ତରଖାନା ପରିସରରେ ନବଜାତଙ୍କ ସୁରକ୍ଷାକୁ କେନ୍ଦ୍ର କରି ବହୁ ଅଭିଯୋଗ ଶୁଣିବାକୁ ମିଳୁଛି ।