ଇଡି କବଳରେ ଛଟପଟ କେ କବିତାଙ୍କୁ ଗିଳିଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଆରଏସ ନେତା କେ କବିତାଙ୍କୁ ଅଭିଯୁକ୍ତ କରି ଗିରଫ କରିଛି ସିବିଆଇ । କବିତା ଇଡି ଜାଲରେ ଫସି ଏବେ ତିହାର ଜେଲରେ ଅଛନ୍ତି । ଗତ ଶନିବାର ଦିନ ସିବିଆଇ ତିହାର ଜେଲକୁ ଯାଇ କବିତାଙ୍କୁ ଜେରା କରିଥିଲା ।

ଅଭିଯୁକ୍ତ ବୁଚିବାବୁଙ୍କ ସହିତ କବିତାଙ୍କର ହ୍ୱାଟ୍ସଆପ୍‌ ଜରିଆରେ ମତ ବିନିମୟକୁ ଆଧାର କରି ସିବିଆଇ ଏପରି ପଦକ୍ଷେପ ଗ୍ରହଣ କରିଛି । ଆମ୍‌ ଆଦ୍‌ମୀ ପାର୍ଟି ସହିତ ୧୦୦ କୋଟି ଟଙ୍କା ଦେବାନେବା ଭିତରେ କବିତାଙ୍କ ସଂପୃକ୍ତି ରହିଛି ।

କବିତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ଇଡି ପକ୍ଷରୁ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି ।
ତେଲେଙ୍ଗାନା ରାଜନୀତିରେ କେ କବିତା ଜଣେ ପ୍ରଭାବଶାଳୀ ନେତ୍ରୀ । କୋର୍ଟରୁ ଜାମିନ ପାଇ ବାହାରକୁ ଆସିବା ମାତ୍ରେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି; ପ୍ରମାଣଯୋଗ୍ୟ ତଥ୍ୟ ଓ ଦଲିଲକୁ ନଷ୍ଟ କରିପାରନ୍ତି ବୋଲି ଇଡି ଯୁକ୍ତି କରିଛି ।

କବିତା ହେଉଛନ୍ତି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ କନ୍ୟା । ହାଇଦ୍ରାବାଦ ବ୍ୟବସାୟୀ ପିଲ୍ଲାଇଙ୍କ ସହିତ କବିତାଙ୍କର ଘନିଷ୍ଠ ସଂପର୍କ ରହିଛି ।

ମାର୍ଚ୍ଚ ୧୫ ତାରିଖ ଦିନ ଇଡି (ଏନଫୋର୍ସମେଂଟ ନିର୍ଦ୍ଦେଶାଳୟ) କବିତାଙ୍କୁ ତାଙ୍କର ହାଇଦ୍ରବାଦସ୍ଥିତ ବଂଜାରା ହିଲ କୋଠାରୁ ଗିରଫ କରିଥିଲା ।