ଲକ୍ଷ୍ମୀସାଗର ଗୁଳିକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଉଠାଇ ଆଣିଛି ପୋଲିସ

ଭୁବନେଶ୍ବର: ଲକ୍ଷ୍ମୀସାଗର ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଦୁହେଁ ଗାଡ଼ିରେ ଯିବା ସମୟରେ କଟକ ରୋଡ ସ୍ଥିତ ସାଇ ମନ୍ଦିର ପାଖରୁ ଉଠାଇ ଆଣିଛି ପୋଲିସ । ତେବେ ଦୁଇ ଅଭିଯୁକ୍ତ ହେଲେ ପ୍ରଭାତ ମାର୍ଥା ଓ ଅମିତ ମାର୍ଥା । ଉଭୟଙ୍କୁ ଧରିବା ସମୟରେ ବ୍ୟବହାର କରିଥିବା ଅଡ଼ି ଗାଡିକୁ ମଧ୍ୟ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ଦୁଇ ଅଭିଯୁକ୍ତଙ୍କ ଗିରଫ ଘଟଣାକୁ ନେଇ ଡିସିପି କହିଛନ୍ତି ଯେ, ବୁଧବାର ରାତି ପାଖାପାଖି ୧୧ଟା ସମୟରେ ପ୍ରଜାପତି ମଣ୍ଡପ ନିକଟରେ ଯାଉଥିବା ବେଳେ ପ୍ରଭାତ ମାର୍ଥା ଓରଫ୍ ଗୁଲ ମାର୍ଥାଙ୍କ ଗାଡି ଓ କର୍ପୋରେଟର ଶ୍ରୀଧରଙ୍କ ବଡ ପୁତୁରା ଦୀପକ ଜେନାଙ୍କ ଗାଡି ମୁହାଁମୁହିଁ ହୋଇଥିଲା । ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗାଳିଗୁଲଜ ଆରମ୍ଭ ହୋଇଥିଲା । ଖବର ପାଇ ପ୍ରଭାତଙ୍କ ସହଯୋଗୀ ଏବଂ ଦୀପକଙ୍କ ଦାଦା ଶ୍ରୀଧର, ବାପା ଶିଖର ଏବଂ ସାନଭାଇ ଆଲୋକ ସେଠାରେ ପହଞ୍ଚିଥିଲେ । କଥା କଟାକଟିରୁ ସ୍ଥିତି ବିଗିଡିଥିଲା । ଉତ୍ୟକ୍ତ ହୋଇ ପ୍ରଭାତ ଓ ତା’ର ସହଯୋଗୀମାନେ ଦୁଇଟି ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲେ । ପ୍ରାୟ ୧୨ ରାଉଣ୍ଡ ଗୁଳି ଫୁଟିଥିଲା ।

ଗୋଟିଏ ଗୁଳି ଶିଖରଙ୍କ ବାମ ଗୋଡରେ ବାଜିଥିବା ବେଳେ ଆଉ ଏକ ଗୁଳି ଆଲୋକଙ୍କ ଗୋଡରେ ବାଜିଥିଲା । ସେହିଭଳି ଅନ୍ୟ ଦୁଇଟି ଗୁଳି ଆଉ ଦୁଇ ଜଣଙ୍କ ଗୋଡରେ ସାମାନ୍ୟ ବାଜି ଖସିଯାଇଥିଲା । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି । ସେପଟେ ପ୍ରଭାତ ମାର୍ଥାଙ୍କ ପତ୍ନୀଙ୍କ ଅଭିଯୋଗକୁ ମଧ୍ୟ ପୋଲିସ ତଦନ୍ତ କରୁଛି । ତଦନ୍ତ ବେଳେ ଏଥିରେ ଯିଏ ଦୋଷୀ ବୋଲି ଜଣାପଡିବ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନା ଅନୁଯାଇ, ପ୍ରଭାତ ନାଁରେ ଆଗରୁ ବିଭିନ୍ନ ଥାନାରେ ମାମଲା ରହିଥିବା ଜାଣିବାକୁ ପାଇଛି ପୋଲିସ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିକାଣ୍ଡ ବେଳେ ପ୍ରଭାତ ଓ ତାଙ୍କ ସହଯୋଗୀ ଥିଲେ । ତେବେ ପୂର୍ବରୁ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିଲା । ସମୁଦାୟ ୪ ଜଣ ଗିରଫ ହୋଇଥିବା ବେଳେ ଅଧିକ ତଥ୍ୟ ପାଇଁ ପଚରାଉଚରା କରୁଛି ପୋଲିସ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗିରଫ ପ୍ରଭାତ ଗତ ପୌର ନିର୍ବାଚନରେ ବିଜେପିର କର୍ପୋରେଟର ପ୍ରାର୍ଥୀ ଥିଲେ ।