ନବୀନ ଓଡ଼ିଶା: ‘ଭାଷଣରେ ଗଛ ଲଗାଅ, ଲୁଚିଲୁଚି କାଟ’

odisha forest

ବନମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଜଙ୍ଗଲର ଆବଶ୍ୟକତା ଜଣାଇ ବର୍ଷାଋତୁରେ ଗଛ ଲଗାଇବା ପାଇଁ ଗୁରୁତ୍ୱାରୋପ କରିଛନ୍ତି । ନବୀନ କହିଛନ୍ତି, ଜଙ୍ଗଲ ପ୍ରକୃତିର ସର୍ବଶ୍ରେଷ୍ଠ ଅବଦାନ । ଜଙ୍ଗଲ ସଂପଦ ବୃଷ୍ଟିିପାତରେ ସହାୟକ ହୁଏ । ବିଶ୍ୱତାପନର ପ୍ରଭାବ ପ୍ରଶମନ ଓ ନିୟମିତ ବୃଷ୍ଟିପାତ ପାଇଁ ଜଙ୍ଗଲ ସଂପଦର ଅଭିବୃଦ୍ଧି ସହାୟକ ହୋଇଥାଏ ।

ବିକାଶ ପାଇଁ ଗଛଗୁଡ଼ିକୁ ବଳି ପକାଉଥିବା ବ୍ୟକ୍ତି ମୁହଁରୁ ଗଛ ଲଗାଇବା ଓ ଜଙ୍ଗଲ ସୃଷ୍ଟିି କରିବାର ଉପଦେଶ ଅଧିକାଂଶ ଶିଳ୍ପପତିଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରାକୃତିକ ସଂପଦକୁ କଟାକଟି ନକଲେ, ସହରଗୁଡ଼ିକର ପୁନଃବିନ୍ୟାସ ହୋଇପାରିବନି । ଶିଳ୍ପର ବିକାଶ ପାଇଁ ଜଙ୍ଗଲକୁ ବଳି ପକାଇବା ଜରୁରୀ । ରାସ୍ତା, ପୋଲ, କଳକାରଖାନା, ଖଣିଖାଦାନ ପାଇଁ ଜଙ୍ଗଲ କାଟି ପଦାକରିବା ପୂର୍ବରୁ ନୂତନ ଜଙ୍ଗଲ ସୃଷ୍ଟି କରାଯାଉନି । ନୂତନ ଜଙ୍ଗଲ ସୃଷ୍ଟି ଆଳରେ ଚାରାରୋପଣ କରାଯାଉଛି, ମାତ୍ର ତା’ର ରକ୍ଷଣାବେକ୍ଷଣ ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଉନି ।

ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥାଯାତ୍ରା ପାଇଁ କାଠର ଅଭାବ ପଡୁଥିବାରୁ ସରକାରୀ ସ୍ତରରେ ଚାରାରୋପଣ କରାଗଲା । ଚାରାରୋପଣ କରାଯାଉଥିବା ଅଂଚଳର ଜନତା ଓ ବନକର୍ମଚାରୀଙ୍କୁ ଗଛଗୁଡ଼ିକର ଯତ୍ନ ନେବାକୁ ପରାମର୍ଶ ଦିଆଗଲା । ଚାରାଗୁଡ଼ିକୁ ଜଗିବା, ସାର ପକାଇବା, ପାଣି ଦେବା ପାଇଁ ରାଜକୋଷରୁ ବିପୁଳ ଟଙ୍କା କଢ଼ାଗଲା । ହେଲେ ଜଗନ୍ନାଥ ବନପ୍ରକଳ୍ପରେ ଲଗାଯାଇଥିବା ଚାରାଗୁଡ଼ିକ ବିରାଟ ଦ୍ରୁମ ହେବା ପୂର୍ବରୁ ଉଭାନ ହୋଇଗଲେ । ଖୋଦ ବନ ଅଧିକାରୀ ନିଜକୁ ବଂଚାଇବା ପାଇଁ ‘ସରକାର ଜମି ପରୀକ୍ଷା ନକରି ଚାରାରୋପଣ କରିବାରୁ ସେଗୁଡ଼ିକ ଅକାଳରେ ମରିଗଲା ।
ଖାଲି ସେତିକି ନୁହେଁ, କମ୍‌ ପାଣିରେ ଭଲ ରକମ ବଢ଼ି ପାରୁଥିବା ଚାରା ଲଗାଇବା ଦରକାର ଥିଲା । ତା’ ସହିତ ଚାରାଯୋଗାଣ କରିଥିବା ସଂସ୍ଥା ଉନ୍ନତମାନର ଚାରା ଦେଇନାହାନ୍ତି’ ଭଳି ମତାମତ ପ୍ରଦାନ କରିଥିଲେ ।

ନବୀନ ପଟ୍ଟନାୟକ ସତରେ ଗୋଟିଏ ଐତିହାସିକ ଚରିତ୍ର । ବନମହୋତ୍ସବ ପାଖେଇ ଆସିଲେ, ଜଙ୍ଗଲ ସୃଷ୍ଟି ପାଇଁ ଲମ୍ବା ଭାଷଣ ଲେଖି ତାକୁ ବିଜ୍ଞାପନ ଆକାରରେ ଦୈନିକ ଖବରକାଗଜ ଛପାଇ ଦିଅନ୍ତି । ଶିଳ୍ପ ବିକାଶ ପାଇଁ ରୋମ, ଜାପାନ, ଦୁବାଇ ଭଳି ସୁଦୂର ବିଦେଶକୁ ଯାଇ ସେଠାକାର ଶିଳ୍ପପତିଙ୍କ ହାତରେ ଆମ ବନସଂପଦକୁ ଟେକିଦେବାକୁ ବୁଝାମଣା କରୁଛନ୍ତି । ଏଭଳି ଐତିହାସିକ ଚରିତ୍ରକୁ ମୁଖ୍ୟମନ୍ତ୍ରୀ ଭାବେ ପାଇ ରାଜ୍ୟର ସାଢେ଼ ଚାରିକୋଟି ଜନତା ଐତିହାସିକ ପଥର ପାଲଟି ଯାଇଛନ୍ତି ।