ବିଶ୍ୱ ସ୍ତରୀୟ ସୁବିଧା ସହିତ ଏସ୍‌ସିବି ଡାକ୍ତରଖାନାକୁ ଏମସ୍‌ ପ୍ଲସ୍‌ ଲକ୍ଷ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସିଏମ୍ (5 ଟି) ସଚିବ ଭି.କେ ପାଣ୍ଡିଆନ୍ ସୋମବାର ଏଠାରେ ଥିବା ଏସସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏସ୍‌ସିବି ସମ୍ପ୍ରସାରଣ ଯୋଜନାରେ ଚାଲିଥିବା ନୂତନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ପ୍ରଶାସନିକ ସ୍ତରରେ ଏବେ ଘନଘନ ସମୀକ୍ଷା ହେଉଛି । ସମ୍ପ୍ରସାରଣ ଯୋଜନାରେ ରୋଗୀ ସେବା ଲାଗି ନିର୍ମିତ ୪ ଟି କ୍ଲିନିକାଲ୍‌ ବ୍ଲକ୍‌ ମଧ୍ୟରୁ ଆସନ୍ତା ଡିସେମ୍ବର ସୁଦ୍ଧା କ୍ଲିନିକାଲ୍‌ ବ୍ଲକ୍‌-୧ ଏବଂ କ୍ଲିନିକାଲ୍‌ ବ୍ଲକ୍‌ -୪ ପ୍ରକଳ୍ପ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି ।

୫-ଟି ସଚିବ ଭି.କେ ପାଣ୍ଡିଆନ ଏସ୍‌ସିବି କ୍ୟାମ୍ପସରେ ପହଞ୍ଚି ନବ ନିର୍ମିତ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପ୍ରକଳ୍ପ ସ୍ଥାନ ସେ ବୁଲି ଦେଖିବା ସହ ନବନିର୍ମିତ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ୫-ଟି ସଚିବ ଓବିବିସିର ବରିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ସମୟରେ ସିଡିଏ ଅଧ୍ୟକ୍ଷ ତଥା ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟର ମୁଖ୍ୟ ଦାୟିତ୍ୱରେ ଥିବା ଅନିଲ୍‌ ସାମଲ୍‌, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିସନର ନିଖିଲ ପୱନ କଲ୍ୟାଣ, ଏସ୍‌ସିବି ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ସୂଚନା ଅନୁଯାଇ, ବିଶ୍ୱ ସ୍ତରୀୟ ସୁବିଧା ସହିତ ଏସ୍‌ସିବି ଡାକ୍ତରଖାନାକୁ ଏମସ୍‌ ପ୍ଲସ୍‌ ଅନୁଷ୍ଠାନରେ ପରିଣତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଡିସେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରହିଥିବା କ୍ଲିନିକାଲ୍‌ ବ୍ଲକ-୧ରେ ଜେନେରାଲ୍‌ ମେଡିସିନ୍‌, ବାୟୋକେମେଷ୍ଟ୍ରି, ମାଇକ୍ରୋ ବାୟୋଲୋଜି, ପାଥୋଲୋଜି ଏବଂ ରେଡିଓଲୋଜି ବିଭାଗ ରହିବାର ବ୍ୟବସ୍ଥା ରହିଛି । ସେହିପରି ବ୍ଲକ୍‌-୪ରେ ଜେନେରାଲ୍‌ ସର୍ଜରୀ, ଆଶୁଚିକିତ୍ସା କେନ୍ଦ୍ର, ଟ୍ରମା ସେଣ୍ଟର ଆଦି ୱାର୍ଡ, ଓଟି ସହ ଅନ୍ୟାନ୍ୟ ରୋଗୀ ସେବା ଉପଲବ୍‌ଧ ରହିବା ଲାଗି ବ୍ୟବସ୍ଥା ରହିଛି ।

ତେବେ ଉକ୍ତ ଦୁଇଟି ଯାକ କ୍ଲିନିକାଲ୍‌ ବ୍ଲକ୍‌ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଡିସେମ୍ବର ମାସ ଲକ୍ଷ୍ୟ ଧାର୍ଯ୍ୟ ରହିଥିବାରୁ ଠିକା ସଂସ୍ଥା ହାତରେ ଆଉ ମାତ୍ର ସାଢ଼େ ୬ ମାସ ରହିଛି । ଜି ପ୍ଲସ୍‌ ୯ ତଥା ଏହି ୧୦ ମହଲା ବିଶିଷ୍ଟ ଦୁଇଟି ଯାକ ବ୍ଲକ୍‌ର କୋଠା ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ୨୫% ଶେଷ ହୋଇଥିବା ବେଳେ ବାକି କାର୍ଯ୍ୟକୁ ଡିସେମ୍ବର ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ଠିକା ସଂସ୍ଥାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଅ।ଯ।ଇଛି । ଅନ୍ୟପକ୍ଷରେ କ୍ଲିନିକାଲ ବ୍ଲକ୍‌-୨ ଏବଂ ବ୍ଲକ୍‌-୩ ଆସନ୍ତା ବର୍ଷ ଜୁଲାଇରେ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ବ୍ଲକ୍‌-୩ରେ ପ୍ଲାଷ୍ଟିକ୍‌ ସର୍ଜରୀ, ନ୍ୟୁରୋସର୍ଜରୀ, ୟୁରୋଲୋଜି, କାର୍ଡିଓଥୋରାସି ବିଭାଗ ରହିବା ଲାଗି ବ୍ୟବସ୍ଥା ରହିଛି । ସେହିପରି ବ୍ଲକ୍‌-୨ରେ ନ୍ୟୁରୋଲୋଜି, କାର୍ଡିଓଲୋଜି, ନେଫ୍ରୋଲୋଜି, ହେପାଟୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ରହିବ ବୋଲି ସୂଚନା ମିଳିିଛି।

SCB MCH ର ରୂପାନ୍ତର ସହ ଜଡିତ ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ଆକଳନ କରିବାକୁ 5T ସଚିବ ଆଜି ଡାକ୍ତରଖାନା ପରିଦର୍ଶନ କରିଛନ୍ତି ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ରିପୋର୍ଟ ଅନୁଯାୟୀ ଉଚ୍ଚମାନର କାର୍ଯ୍ୟ ସହିତ ପ୍ରକଳ୍ପର ଠିକ ସମୟରେ ସମାପ୍ତ ହେବା ଉପରେ 5T ସଚିବ ଗୁରୁତ୍ୱାରୋପ କରିଛନ୍ତି।