ବଡ଼ବୋଉଙ୍କୁ ମାର୍ବଲ କଟା ମେସିନ୍‌ରେ କାଟିଲା ପୁତୁରା

ରାଜସ୍ଥାନରେ ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି । ପୁଲିସ ସୂଚନା ମୁତାବକ…

ଜୟପୁର: ରାଜସ୍ଥାନରେ ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି । ପୁଲିସ ସୂଚନା ମୁତାବକ ହତ୍ୟା ଅଭିଯୁକ୍ତ ଯୁବକ ଜଣେ ମାନସିକ ରୋଗୀ । ଯୁବକ ଜଣକ ତାଙ୍କ ବିଧବା ବଡ଼ବୋଉଙ୍କୁ ନିଷ୍ଠୁର ଭାବେ ହତ୍ୟା କରିବା ପରେ ମୃତଦେହକୁ ମାର୍ବଲ କଟା ମେସିନରେ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗି ଦେଇଛି । ପୁଲିସ ମୃତଦେହର କିଛି ଟୁକୁଡ଼ା ଜବତ କରିଛି ।
ଜୟପୁର ଅନ୍ତର୍ଗତ ବିଦ୍ୟାଧର ନଗର ଇଲାକା ଦୁଇ ନମ୍ବର ସେକ୍ଟର ଲାଲପୁରିଆ ଆପାର୍ଟମେଂଟରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଏକ ମାମଲା ପୁଲିସ ନଜରକୁ ଆସିଛି । ଡିସେମ୍ବର ୧୧ ତାରିଖରେ ପୁତୁରା ଅନୁଜ ତାଙ୍କର ୬୪ ବର୍ଷୀୟା ବଡ଼ବୋଉଙ୍କ ମୁଣ୍ଡକୁ ହାତୁଡ଼ିରେ ଶକ୍ତ ପାହାର ପକାଇଥିଲା । ମୃତଦେହକୁ କାଟିବା ପାଇଁ ବଜାରରୁ ମାର୍ବଲ କଟା ମେସିନ୍‌ କିଣିଲା । ଗାଧୁଆ ଘରେ ମୃତଦେହକୁ ୧୦ ଖଣ୍ଡ କରି କାଟିବା ପରେ ସେଗୁଡ଼ିକୁ ସୁଟକେଶ୍‌ ଓ ବାଲ୍‌ଟିରେ ଲୁଚାଇ ରଖିଲା । ପରେ ମଉକା ଦେଖି କଟା ଅଙ୍ଗପ୍ରତ୍ୟଙ୍ଗକୁ କାରରେ ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିଲା ।
ଏତେସବୁ କାଣ୍ଡ କରିବା ପରେ ଥାନାରେ ପହଂଚି ବଡ଼ବୋଉଙ୍କ ନିଖୋଜ ଅଭିଯୋଗ କରିଥିଲା । ଦୈବାତ୍‌ କ୍ରମେ ଅଭିଯୁକ୍ତ ଅନୁଜ ରୋଷେଇ ଘର ଚଟାଣରେ ପଡ଼ିଥିବା ବଡ଼ବୋଉଙ୍କ ରକ୍ତଦାଗକୁ ସଫା କରୁଥିବା ଦୃଶ୍ୟକୁ ଜଣେ ପଡେ଼ାଶୀ ଦେଖି ଚହଳ ପକାଇଥିଲା । ମୃତକଙ୍କ ଝିଅ ପୂଜା ଥାନରେ ପହଂଚି ସବୁ ଘଟଣା ଜଣାଇଥିଲା ।