ମୋ ସରକାର: ‘ଆମେ ଏକନମ୍ବର ଭୀରୁ କାପୁରୁଷ’

ନଖରା ଛକରୁ ନିଆଳି ଆଡ଼କୁ ପଡ଼ିଥିବା ରାସ୍ତାରେ ପ୍ରାୟ ୨୦ କିଲୋମିଟର ମାଡ଼ିଗଲେ, ପଡ଼ିବ ସଳେଇ । ସେଇ ବଜାରରେ ଗୋଟିଏ ଚାଳିଆ ଦୋକାନରେ ବିକା ହେଉଥିଲା ଚା’ । ଚା’ କପଟିଏ ହାତରେ ଧରି ପାଖରେ ଠିଆ ହୋଇଥିବା ଜଣେ ଯୁବକକୁ ପଚାରିଲି, ବାବୁ ଏଇଟା ବିଜେଡି ଇଲାକା ତ? ମୋ କଥା ଶୁଣି ଯୁବକଟି ଟିକେ ଭଲକରି ମୋତେ ପଢ଼ିବାକୁ ଚେଷ୍ଟା କଲା । ବାଇକ ଆଗରେ ଲେଖାଥିବା ‘ପ୍ରେସ’ଟିକୁ ଦେଖିବା ପରେ ମୋ ଆଡ଼କୁ ଅନାଇ କହିଲା, ଆପଣ କ’ଣ ଏ ଇଲାକାର ରିପୋର୍ଟର ନୁହନ୍ତି । ଜବାବ ଦେଲି: ନା, ଏ ଇଲାକାର ହୋଇଥିଲେ ତମକୁ ପ୍ରଶ୍ନ କ’ଣ ପାଇଁ ପଚାରିଥାନ୍ତି ।
ଏଇଟା ବିଜେଡି ଏରିଆ । ଏଠାକାର ବିଧାୟକ ପ୍ରମୋଦ ମଲ୍ଲିକ । ହେଲେ ତାକୁ କିଏ ଭୋଟ ଦଉଛି? ଆମେ ନବୀନବାବୁଙ୍କୁ ଦେଖି ଭୋଟ ଦଉଛୁ । ଏ ଜାଗାରେ ପ୍ରମୋଦର ପାଦ କେବେ ପଡ଼ିନି । ସେଇଟା କୋଉ କୂଳକୁ ନୁହେଁ । ଖାଲି ନବୀନ ମୁହଁକୁ ଦେଖି ଭୋଟ ଦବା କଥା ।

ତା’ କଥା ଶୁଣିଲା ପରେ ପୁଣି ପ୍ରଶ୍ନ କଲି । ରାଜ୍ୟରେ କାହା ସରକାର ଚାଲିଛି? ସେ କହିଲା, ‘କାହାର ଆଉ? ବିଜେଡି ସରକାର ।’ ମୁଁ ପୁଣି ପଚାରିଲି, ‘ମାନେ? ଓଡ଼ିଶା ସରକାର ନା ମୋ ସରକାର’
ୟା’ ଭିତରେ ମୋର ଚା’ ପିଆ ସରି ଯାଇଥିଲା । ଚା’ ଦୋକାନୀକୁ ଟଙ୍କାଟି ବଢ଼ାଇଦେଲି । ଆମ କଥା ଭିତରେ ଆହୁରି ଚାରି ପାଂଚଜଣ ଯୁବକ ଆସି ଠିଆ ହୋଇଯାଇଥାନ୍ତି । ସେମାନଙ୍କ ଭିତରୁ ଜଣେ କହିଲା, ଓଡ଼ିଶା ସରକାର ହେଉ କି ମୋ ସରକାର ହେଉ । ଆମକୁ ମାଗଣା ଚାଉଳ ମିଳୁଛି । କାଳିଆ ଟଙ୍କା ମିଳୁଛି । ଛତା, କମ୍ବଳ ମିଳୁଛି । ଯିଏ ଦଉଛି, ଆମେ ତାକୁ ଭୋଟ ଦଉଛୁ ।

ନବୀନବାବୁ ବଂଚିଥିବା ଯାଏ ଆମେ ତାଙ୍କୁ ହିଁ ଭୋଟ ଦେବୁ । ସେ ବଂଚିଥିବା ଯାଏ ଓଡ଼ିଶାରେ ବିଜେପି କି କଂଗ୍ରେସ କ୍ଷମତାକୁ ଯାଇ ପାରିବନି । ମୁଁ ପୁଣି ପଚାରିଲି, ରାଜ୍ୟରେ କାହାର ସରକାର ଚାଲିଛି? ମୋ ସରକାର ନା ଓଡ଼ିଶା ସରକାର? ମୋ କଥା ଶୁଣି ଦୁଇ ତିନିଜଣ ଏକାବେଳେ ପ୍ରଶ୍ନ କଲେ? ଆପଣଙ୍କ କଥା ଆମେ ବୁଝିପାରୁନୁ । ମୁଁ ବୁଝାଇଦେଲି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଗ୍ରାମାଂଚଳର ବିକାଶ ପାଇଁ ‘ମୋ ସରକାର’, ମୋ ବସ, ମୋ ସ୍କୁଲ, ‘ମୋ ସଡ଼କ’, ମୋ କୁଡ଼ିଆ, ମୋ ପୋଖରୀ ଭଳି ଯୋଜନା ପ୍ରଣୟନ କରିଛନ୍ତି । ଆପଣମାନେ ଜାଣିନାହାନ୍ତି? ମୋ ପାଟିରୁ ଏତେଗୁଡ଼ାଏ କଥା ଶୁଣି ଜଣେ ଯୁବକ କହିଲା, ହଁ ହଁ, ଖବରକାଗଜରେ ପଢ଼ିଛି ।

ମୁଁ କହିଲି, ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ରାଜ୍ୟପାଳ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷିତ ‘ମୋ ସରକାର’ର । ଜଣେ ଜବାବ ଦେଲା, ଆମେ ସେଥିରୁ କ’ଣ ପାଇବୁ? ମୁଁ ବୁଝାଇବାକୁ ଚେଷ୍ଟା କଲି, ‘ଆପଣମାନେ ଗଣତନ୍ତ୍ରର ଅସଲ ମାଲିକ । ଆପଣମାନେ ଜାଣିବା ଦରକାର । ଆପଣମାନେ ଯାହା ମାଗଣାରେ ପାଉଛନ୍ତି । ସେଗୁଡ଼ିକ କ’ଣ ନବୀନବାବୁ ତାଙ୍କ ଦଳୀୟ ପାଣ୍ଠିରୁ ଦଉଛନ୍ତି ନା ଆପଣଙ୍କ ପ୍ରତି ଦୟା କରୁଛନ୍ତି? ଏବେ ଯାହା ହାତକୁ ଟେକି ଦଉଛନ୍ତି । ପରେ ସେଇଟା ତମ ମୁଣ୍ଡରେ ଋଣ ହୋଇ ଲଦି ଦିଆଯାଉଛି । ଏଇଟା କ’ଣ ଆପଣମାନେ ଜାଣିନାହାନ୍ତି ।’

ମୋ କଥା ଶୁଣି ସେମାନେ ଏକାସ୍ୱରରେ କହିଲେ, ଆମର ଏତେକଥାରୁ କ’ଣ ମିଳିବ । ଆମେ କେବଳ ଏତିକି ଜାଣିଛୁ, ନବୀନବାବୁ ଜିନ୍ଦାବାଦ । ସେମାନଙ୍କ କଥା ଶୁଣି ମୁଁ ମନକୁ ମନ ପ୍ରଶ୍ନ କଲି । ସତରେ ଆମେ କେତେ ଭୀରୁ? ଆଖି ଆଗରେ ଯାବତୀୟ ଅଳିଆ କାମ ଦେଖି ନିରବ ରହିବାକୁ ବାଧ୍ୟ ହେଉଛେ । ଯୋଉ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିବାଲୋକରେ ମାରି ଦିଆଯାଉଛି । ସେଠାରେ ଆମ ଭଳି ଛୋଟ ପ୍ରାଣୀ ‘ମୋ ସରକାର’ ଓ ଓଡ଼ିଶା ସରକାର ଭିତରେ ଫରକ କ’ଣ ବୋଲି ନବୀନବାବୁଙ୍କୁ ଜେରା କରିପାରିବ କି?