ପୁରାଣରେ ରାଖି: ରାଜା ବଳି ହାତରେ ରାଖି ବାନ୍ଧିଥିଲେ ମା’ ଲକ୍ଷ୍ମୀ

ତିନିପୁର ବିଜୟ କରିବା ପରେ ରାଜା ବଳି ଭଗବାନ ବିଷ୍ଣୁଙ୍କୁ ବୈକୁଣ୍ଠପୁର ଛାଡ଼ି ଚାଲିଯିବାକୁ ଆଦେଶ ଦେଲେ । ମା’ ଲକ୍ଷ୍ମୀଙ୍କୁ କଥାଟା ଟିକେ ଅଡୁଆ ଲାଗିଲା । ସେ ରାଜା ବଳିଙ୍କ ହାତରେ ରାଖି ବାନ୍ଧି ଭାଇ କରିଦେଲେ । ରାଜା ବଳି ମା’ ଲକ୍ଷ୍ମୀଙ୍କୁ ଭଉଣୀ ରୂପେ ପାଇ ବୈକୁଣ୍ଠପୁର ଛାଡ଼ି ଚାଲିଗଲେ ।

ସେହିଭଳି ପ୍ରଭୁ ଶ୍ରୀଗଣେଶଙ୍କ ରାଖି ବନ୍ଧନ କାହାଣୀ ପଢ଼ନ୍ତୁ । ପ୍ରଭୁ ଶ୍ରୀଗଣେଶଙ୍କ ଭଉଣୀ ହେଉଛନ୍ତି ମା’ ମନସା । ସେ ରାଖି ପୂର୍ଣ୍ଣିମା ଦିନ ଭାଇ ଗଣେଶଙ୍କ ହାତରେ ରାଖି ବାନ୍ଧୁଥିବାର ଦେଖି ଗଣେଶଙ୍କ ଦୁଇପୁଅ ଶୁଭ ଓ ଲାଭଙ୍କର ମନଦୁଃଖ ହୋଇଗଲା । ସେମାନଙ୍କର ଗୋଟିଏ ଭଉଣୀଟିଏ ଥିଲେ, ସେ ଦୁଇଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତା । ଏହିପରି ବିଚାର କରି ଦୁଇଭାଇ ଶୁଭ ଓ ଲାଭ ପ୍ରଭୁ ଶ୍ରୀଗଣେଶଙ୍କୁ ଅନୁରୋଧ କଲେ ଗୋଟିଏ ଭଉଣୀ ଦେବାକୁ ।
ବହୁ ଅନୁରୋଧ କରିବା ପରେ ପ୍ରଭୁ ଶ୍ରୀଗଣେଶ ମା’ ସନ୍ତୋଷୀଙ୍କୁ ସୃଷ୍ଟି କଲେ । ମା’ ସନ୍ତୋଷୀ ଆଦରର ସହିତ ଶୁଭ ଓ ଲାଭଙ୍କ ହାତରେ ରାଖି ବାନ୍ଧିଦେଲେ ।

ଭାଇ-ଭଉଣୀ ଭିତରେ ପବିତ୍ର ସଂପର୍କକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ରାଖି ପୂର୍ଣ୍ଣିମା ପାଳନ କରାଯାଉଛି । ପୃଥିବୀ ପୃଷ୍ଠିରେ ବିଭିନ୍ନ ଧର୍ମର ଲୋକମାନେ ବସବାସ କରୁଥିବାରୁ ସେମାନଙ୍କ ମଧ୍ୟରେ ଭାଇଚାରା ସଂପର୍କ ବଜାୟ ରଖିବା ପାଇଁ ରାଖିକୁ ଏକ ମାଧ୍ୟମ ରୂପେ ଗ୍ରହଣ କରାଯାଉଛି । ହିନ୍ଦୁ-ମୁସଲିମ, ହିନ୍ଦୁ-ଖ୍ରୀଷ୍ଟିୟାନ, ସବର୍ଣ୍ଣ-ଅସବର୍ଣ୍ଣ ମଧ୍ୟରେ ସୁସଂପର୍କ ସ୍ଥାପନ ପାଇଁ ରାଖି ବନ୍ଧନ ଗ୍ରହଣୀୟ ।