ମୁନଶୀ ପ୍ରେମଚଂଦ

ମାମୁ ତାଙ୍କୁ ‘ନବାବ’ ଗେହ୍ଲା ନାମ ଦେଇଥିଲେ।….

ଆଧୁନିକ ଭାରତୀୟ ଗଦ୍ୟ ସାହିତ୍ୟର ବିକାଶ ବି˚ଶ ଶତାବ୍ଦୀର ଘଟନା। ହିନ୍ଦୀ ଭାଷାରେ ଏହାର ବିକାଶ ପ୍ରକ୍ରିୟା ସହ ସ˚ପୃକ୍ତ ବିଶିଷ୍ଟ ସାହିତ୍ୟିକଙ୍କ ମଧ୍ୟରେ ମୁନଶୀ ପ୍ରେମଚଂଦ(ଜନ୍ମ: ୩୧ ଜୁଲାଇ ୧୮୮୦; ମୃତ୍ୟୁ: ୮ ଅକ୍‌ଟୋବର୍‌ ୧୯୩୬) ଅନ୍ୟତମ। ତାଙ୍କର ଗଳ୍ପ ତଥା ଉପନ୍ୟାସଗୁଡ଼ିକରେ ସାମସମୟିକ ଭାରତର ସାମାଜିକ ବ୍ୟବସ୍ଥା, ରାଜନୈତିକ ଅବସ୍ଥା, ଲୋକ ଚଳଣି, ଗ୍ରାମ୍ୟ ଜୀବନ, ଦଳିତ ଓ ମଧ୍ୟମ ବର୍ଗଙ୍କ ସୁଖ-ଦୁଃଖ ଆଦିର ବାସ୍ତବ ଚିତ୍ର ଦେଖିବାକୁ ମିଳେ। ସେ ମୋଟ ଷୋହଳଟି ଉପନ୍ୟାସ ଓ ୨୫୦ଟି ଗଳ୍ପ ଲେଖିଯାଇଛନ୍ତି।

‘ମଙ୍ଗଳସୂତ୍ର’ ତାଙ୍କର ଏକମାତ୍ର ଅସ˚ପୂର୍ଣ୍ଣ ଉପନ୍ୟାସ। ପ୍ରେମଚଂଦ ହିନ୍ଦୀ ସାହିତ୍ୟ ଦୁନିଆର ‘ସମ୍ରାଟ୍‌’ ଭାବେ ପରିଚିତ। ସେ ଉର୍ଦୂ ଓ ହିନ୍ଦୀ ଭାଷାରେ ଲେଖା-ଲେଖି କରୁଥିଲେ। ତାଙ୍କ ପିତୃଦତ୍ତ ନାମ ଧନପତ ରାୟ ଶ୍ରୀବାସ୍ତବ। ତେବେ, ସେ ‘ନବାବ ରାୟ’ ଓ ‘ପ୍ରେମଚଂଦ’ ଛଦ୍ମନାମ ଗ୍ରହଣ କରିଥିଲେ। ମାମୁ ତାଙ୍କୁ ‘ନବାବ’ ଗେହ୍ଲା ନାମ ଦେଇଥିଲେ। ଅଧାରୁ କଲେଜ୍‌ ଶିକ୍ଷା ଛାଡ଼ିଥିବା ପ୍ରେମଚଂଦଙ୍କ ବୃତ୍ତି ଥିଲା ଶିକ୍ଷକତା। ତେଣୁ, ଆଦର୍ଶବାଦ ଓ ଚରିତ୍ର ନିର୍ମାଣକୁ ସେ ଗୁରୁତ୍ବ ଦେଉଥିଲେ।

ସେ ମହାତ୍ମା ଗାନ୍ଧୀ ଓ ତଲସ୍ତୟଙ୍କ ଦ୍ବାରା ପ୍ରଭାବିତ ଥିଲେ। ତାଙ୍କ କାହାଣୀମାନଙ୍କରେ ଏ ଦୁହିଁଙ୍କର ଆଦର୍ଶ, ସିଦ୍ଧାନ୍ତ ଓ ବିଶ୍ବାସର ବର୍ଣ୍ଣନା ମିଳେ। ଉତ୍ତର ଜୀବନରେ ସେ ଗାନ୍ଧୀବାଦରୁ ଦୂରେଇ ପ୍ରଗତିବାଦ ଆଡ଼କୁ ଢଳିଥିଲେ। କମ୍‌ ବୟସରେ ତାଙ୍କର ଦେହାନ୍ତ ହୋଇ ନ ଥିଲେ, ଆଧୁନିକ ଭାରତବର୍ଷ ଆଉ ଜଣେ ପ୍ରଗତିଶୀଳ ସାହିତ୍ୟିକଙ୍କୁ ପାଇଥାଆନ୍ତା। ନିଜ ଜୀବନ କାଳରେ ସେ ଆଦୌ ପ୍ରସିଦ୍ଧି ଲାଭ କରିପାରି ନ ଥିଲେ। ମୃତ୍ୟୁ ପରେ ସେ ପାଠକ-ପ୍ରିୟତା ହାସଲ କରି ଅପ୍ରତିଦ୍ବନ୍ଦ୍ବୀ ରହିଆସିଛନ୍ତି। ବିଶିଷ୍ଟ ବାଂଲା ଲେଖକ ଶରତଚନ୍ଦ୍ର ତାଙ୍କ ଗଳ୍ପ ପଢ଼ି ଏକଦା କହିଥିଲେ- ‘ରବୀନ୍ଦ୍ରନାଥଙ୍କ ଛଡ଼ା ଅନ୍ୟ କେହି ଏ ଭଳି ଗଳ୍ପ ଲେଖିପାରିବେନାହିଁ।’

ଶୈଶବରେ ସେ ମାଆଙ୍କୁ ହରାଇଥିଲେ। ପିତା ଦ୍ବିତୀୟ ବିବାହ କରିଥିଲେ। ବିମାତା, ତାଙ୍କୁ ଆଦୌ ଭଲପାଉ ନ ଥିଲେ। ବିମାତାଙ୍କୁ ନେଇ ସେ ଗୁଡ଼ିଏ ଗଳ୍ପ ଲେଖିଥିଲେ। ଜେଜେମାଆ, ପ୍ରେମଚଂଦଙ୍କୁ ମଣିଷ କରିଥିଲେ। ପିଲାଦିନେ ସେ ଅତିଶୟ ଦୁଷ୍ଟ ଥିଲେ। ବିଦେଶୀ ଗୁଇନ୍ଦା ଗଳ୍ପ ପଢ଼ି ସେ ଲେଖକ ହେବା ପାଇଁ ଆଗ୍ରହୀ ହୋଇଥିଲେ। ସେ ଥିଲେ ଭ୍ରମଣପ୍ରିୟ। ଅତ୍ୟନ୍ତ ସରଳ ଜୀବନଯାପନ କରୁଥିଲେ। ଗାଈ-ଗୋରୁ ପାଳିଥିଲେ ଏବ˚ ସେମାନଙ୍କ କଥା ନିଜେ ବୁଝୁଥିଲେ।

ବାରାଣସୀରେ ସେ ଏକ ଛାପାଖାନା ବସାଇ ‘ହ˚ସ’ ନାମକ ମାସିକ ପତ୍ରିକା ଓ ‘ଜାଗରଣ’ ନାମକ ସାପ୍ତାହିକ ପ୍ରକାଶ କରିଥିଲେ। ଏହି ଦୁଇ ପତ୍ରିକା ଅନେକ ହିନ୍ଦୀ ସାହିତ୍ୟିକ ସୃଷ୍ଟି କରିଥିଲା। ପ୍ରକାଶନ ଧନ୍ଦାରେ କ୍ଷତି ହେଉଥିଲେ ହେଁ ସେ ଏହା ଜାରିରଖି ସାହିତ୍ୟ ପ୍ରତି ନିଜର ଉତ୍ସର୍ଜିତ ମନୋଭାବର ପରିଚୟ ଦେଇଥିଲେ। ବ୍ୟକ୍ତିଗତ ଜୀବନରେ ସେ କିଛି ପରିମାଣରେ ଅସୁଖୀ ଥିଲେ। କାରଣ, ତାଙ୍କ ପତ୍ନୀ ଥିଲେ ବଡ଼ ଘରର ଅସୁନ୍ଦରୀ ଝିଅ ତଥା ବୟସରେ ତାଙ୍କଠାରୁ ବଡ଼ ସଙ୍ଗକୁ କଜିଆଖୋରଣୀ। ପାରିବାରିକ ଅସୁଖ ସତ୍ତ୍ବେ ସେ ହସଖୁସିଆ, ମେଳାପୀ ମଣିଷ ଥିଲେ। ବାରାଣସୀ ନିକଟବର୍ତ୍ତୀ ଲମହୀ ଗ୍ରାମରେ ସେ ଜନ୍ମ ହୋଇଥିଲେ।