‘ଉତ୍କଳମଣି’ ଗୋପବନ୍ଧୁ ଦାସ

ସେ ଗୁରୁକୁଳ ଢାଞ୍ଚାରେ ବିଦ୍ୟାଳୟ ଶିକ୍ଷାର ପ୍ରସାର ସପକ୍ଷରେ ମତ ଦେଉଥିଲେ…..

ପୁରୀ ଜିଲ୍ଲା ଅନ୍ତର୍ଗତ ସାକ୍ଷୀଗୋପାଳର ସୁଆଣ୍ତୋ ଗ୍ରାମରେ ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସ(ଜନ୍ମ: ୯ ଅକ୍‌ଟୋବର୍‌ ୧୮୭୭; ମୃତ୍ୟୁ: ୧୭ ଜୁନ୍‌ ୧୯୨୮) ଜନ୍ମ ହୋଇଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଦୈତାରି ଦାସ। ସେ ଥିଲେ ମୁକ୍ତିଆର ଏବ˚ ଚାରି ଥର ବିବାହ କରିଥିଲେ। ଗୋପବନ୍ଧୁ ତାଙ୍କର ତୃତୀୟ ପତ୍ନୀ ସ୍ବର୍ଣ୍ଣମୟୀଙ୍କ ପୁତ୍ର। ଗୋପବନ୍ଧୁ ଜନ୍ମ ହେବାର ଅଳ୍ପ କିଛି ଦିନ ପରେ ତାଙ୍କ ମାତା ମୃତ୍ୟୁବରଣ କରିବାରୁ ଶୈଶବରେ ସେ ମାତୃସ୍ନେହରୁ ବଞ୍ଚିତ ହୋଇଥିଲେ।

ତାଙ୍କ ପିତାଙ୍କର ବିଧବା ଭଉଣୀ କମଳା ଦେବୀ, ତାଙ୍କର ଲାଳନ-ପାଳନ ଭାର ଗ୍ରହଣ କରିଥିଲେ। ଗୋପବନ୍ଧୁଙ୍କର ଜୀବନକାଳ ଅତି ସ˚କ୍ଷିପ୍ତ ଥିଲା। ସେ ମାତ୍ର ଏକାବନ ବର୍ଷ ବଞ୍ଚିଥିଲେ। ତେବେ, ସ˚କ୍ଷିପ୍ତ ଜୀବନକାଳରେ ସେ ଓଡ଼ିଶା ପାଇଁ ଯାହା କରିଯାଇଛନ୍ତି, ଭାବିଲେ ବିସ୍ମିତ ହେବାକୁ ହୁଏ। ସେ ଏକଧାରରେ ଥିଲେ ଜନସେବୀ, ଶିକ୍ଷକ, ନେତା, କର୍ମୀ, ସ˚ପାଦକ, ଆଇନଜୀବୀ ଓ ବ୍ୟବସ୍ଥାପକ। ଗୋପବନ୍ଧୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ଶିକ୍ଷକତାରୁ। ତତ୍‌କାଳୀନ ଦେଶୀୟ ରାଜ୍ୟ ନୀଳଗିରିର ଏକ ଶିକ୍ଷାନୁଷ୍ଠାନରେ ପ୍ରଧାନ ଶିକ୍ଷକ ଭାବେ ଆରମ୍ଭ କରିଥିଲେ ନିଜର ଶିକ୍ଷକ ଜୀବନ। ସେଠାରେ କିଛି ବର୍ଷ ରହିବା ପରେ ପୁରୀ ଆସି ଓକିଲାତି କରିଥିଲେ।

ତେବେ ସେଥିରେ ତାଙ୍କର ମନ ନ ଥିଲା। ସେ ଓଡ଼ିଶା ପ୍ରଦେଶ ପାଇଁ, ଏଠାକାର ଦରିଦ୍ର-ଅବହେଳିତ ଲୋକଙ୍କ ପାଇଁ ଅନେକ କିଛି କରିବାକୁ ଚାହୁଁଥିଲେ। ସେ ଥିଲେ ଶିକ୍ଷାପ୍ରେମୀ। ପିଲାଙ୍କ ପାଇଁ ଭଲ ବିଦ୍ୟାଳୟଟିଏ ଖୋଲିବା ତାଙ୍କର ସ୍ବପ୍ନ ଥିଲା। ସେ ଗୁରୁକୁଳ ଢାଞ୍ଚାରେ ବିଦ୍ୟାଳୟ ଶିକ୍ଷାର ପ୍ରସାର ସପକ୍ଷରେ ମତ ଦେଉଥିଲେ। ନିଜର ଚିନ୍ତାଧାରାକୁ ରୂପ ଦେବା ଲାଗି ସେ ଗଢ଼ିଥିଲେ ‘ସତ୍ୟବାଦୀ ବନ ବିଦ୍ୟାଳୟ’; ସାକ୍ଷୀଗୋପାଳର ବକୁଳ ବନରେ। ମାତ୍ର ଊଣେଇଶ ଜଣ ଛାତ୍ରଙ୍କୁ ନେଇ ୧୯୦୯ ଅଗଷ୍ଟ ୧୨ ତାରିଖରେ ସେ ବିଦ୍ୟାଳୟ ଆରମ୍ଭ କରିଥିଲେ।

ସ˚ପୂର୍ଣ୍ଣ ଗ୍ରାମ୍ୟ ପରିବେଶରେ ବିଦ୍ୟାଳୟଟି ନିଆରା ଥିଲା। ଛାତ୍ରଙ୍କ ମଧ୍ୟରେ ଆଦର୍ଶବାଦର ବୀଜ ରୋପଣ ଓ ଶୃଙ୍ଖଳା ଜ୍ଞାନର ପ୍ରସାର ତାଙ୍କର ମୂଳ ଲକ୍ଷ୍ୟ ଥିଲା। ସତ୍ୟବାଦୀ ଶିକ୍ଷା ପଦ୍ଧତି ଅନ୍ୟ ବିଦ୍ୟାଳୟଠାରୁ ଅନେକଟା ଭିନ୍ନ ଥିଲା। ସେଠାରେ ପଢ଼ା ସହ ସାହିତ୍ୟ ଚର୍ଚ୍ଚା କରାଯାଉଥିଲା। ପିଲାଏ ବ୍ୟାୟାମ କରୁଥିଲେ। ସେମାନଙ୍କ ମଧୢରେ ନିୟମିତ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଆଚାର୍ଯ୍ୟ ହରିହର ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ଏବ˚ କୃପାସିନ୍ଧୁ ମିଶ୍ର ପ୍ରମୁଖ ଏଠାରେ ଶିକ୍ଷାଦାନ କରୁଥିଲେ।

‘ସତ୍ୟବାଦୀ’ ନାମକ ମାସିକ ପତ୍ରିକା ଏବ˚ ସାପ୍ତାହିକ ‘ସମାଜ’ର ପ୍ରକାଶନ ତାଙ୍କ ସ˚ପାଦନାରେ ଆରମ୍ଭ ହୋଇଥିଲା। ‘ସମାଜ’ ପରେ ଦୈନିକ ହେଇଥିଲା। ବିହାର ଏବ˚ ଓଡ଼ିଶା ବିଧାନ ପରିଷଦକୁ ସେ ବ୍ୟବସ୍ଥାପକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୁଖ୍ୟତଃ ପ୍ରଳୟଙ୍କରୀ ବନ୍ୟା ବେଳେ ରିଲିଫ୍‌ ବଣ୍ଟନ କରି ସେ ଦୃଷ୍ଟାନ୍ତ ବନିଥିଲେ। ଓଡ଼ିଶାରେ କ˚ଗ୍ରେସ୍‌ର ସଙ୍ଗଠନ ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ପାଇଥିଲା ଏବ˚ ନିଜ ଜୀବନକାଳରେ ହିଁ ସେ ତାହାକୁ ମଜଭୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଓଡ଼ିଶା ପ୍ରାଦେଶିକ କ˚ଗ୍ରେସ୍‌ର ସେ ଥିଲେ ପ୍ରଥମ ସଭାପତି। ଜୀବନର ଶେଷ ଭାଗରେ ସେ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଦ୍ବାରା ପ୍ରତିଷ୍ଠିତ ‘ଲୋକସେବକ ମଣ୍ତଳ’ରେ ଯୋଗଦେଇଥିଲେ ଏବ˚ ମୃତ୍ୟୁ ପୂର୍ବରୁ ନିଜର ସ˚ପତ୍ତି ଦୈନିକ ‘ସମାଜ’କୁ ସେହି ଅନୁଷ୍ଠାନକୁ ଦାନକରିଯାଇଥିଲେ। ବଙ୍ଗର ପ୍ରସିଦ୍ଧ ବୈଜ୍ଞାନିକ ସାର‌୍‌ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ‘ଉତ୍କଳମଣି’ ଉପାଧିରେ ଭୂଷିତ କରିଥିଲେ।