କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟା ଚିତାର ମୃତ୍ୟୁ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଅଣାଯାଇଥିବା ଆଉ ଗୋଟିଏ ଚିତାବାଘର ମୃତ୍ୟୁ ଘଟିଛି । କୋଉ କାରଣରୁ ଚିତାଟି ପ୍ରାଣ ହରାଇଲା; ତା’ର କାରଣ ଏ ଯାବତ୍‌ ଜାଣିପାରିନି ବନ୍ୟଜନ୍ତୁ ସଂରକ୍ଷଣ ବିଭାଗ । ଭାରତରେ ଚିତାବାଘ ବଂଶ ବିସ୍ତାର ପାଇଁ ମୋଦି ସରକାର ୨୦୨୨ରେ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ନାମିବ୍ୟାରୁ କିଛି ଚିତା ଆଣିଥିଲେ ।

ମଧ୍ୟପ୍ରଦେଶର ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ମୃତ ଚିତାଟି ଭଲ କରି ଚଲାବୁଲା କରୁ ନଥିବା ଦେଖି ବନ କର୍ମଚାରୀମାନେ ତାକୁ ନିଶା ଇଞ୍ଜେକସନ୍‌ ବଳରେ ବେହୋସ କରିଥିଲେ । କିନ୍ତୁ ପଶୁ ଡାକ୍ତରଙ୍କ ଟିମ୍‌ ଶତଚେଷ୍ଟା ସତ୍ୱେ ତାକୁ ବଂଚାଇ ପାରିଲେନି ।

ମଙ୍ଗଳବାର ଦିନ ସାଢେ଼ ୧୧ଟାରେ ଚିତାକୁ ନିଶା ଇଞ୍ଜେକସନ୍‌ ଦିଆ ଯାଇଥିଲା । ଦିନ ୩ଟା ୧୭ ମିନିଟରେ ଚିତାର ମୃତ୍ୟୁ ଘଟିଲା ।

୨୦୨୩ ମାର୍ଚ୍ଚ ମାସରୁ ବିଭିନ୍ନ କାରଣରୁ କୁନୋ ଜାତୀୟ ଉଦ୍ୟାନରେ ପ୍ରାୟ ସାତୋଟି ପୁରୁଷ ଚିତା ଓ ତିନୋଟି ଚିତାଛୁଆ ପ୍ରାଣ ହରାଇ ସାରିଲେଣି ।