ଗୋଟି ଚଳାଇବାରେ ଧୁରନ୍ଧର ନୀତୀଶ କୁମାର

ମଗଧ ମହିଳା କଲେଜର ଛାତ୍ରୀ ମଂଜୁ କୁମାରୀ ସିହ୍ନାଙ୍କ ସହିତ ନୀତୀଶଙ୍କର ଭେଟ ହେଲା । ଦୁହିଁଙ୍କ ବନ୍ଧୁତା କ୍ରମେ ପ୍ରେମ ଓ…

ପାଟନା: ଆଜିର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପିଲାଦିନରୁ ଆପଣା ନୀତିକୁ ସର୍ବଶ୍ରେଷ୍ଠ ମଣୁଥିଲେ । ୧୯୫୧ ମାର୍ଚ୍ଚ ପହିଲାରେ ନାଳନ୍ଦାର କଲ୍ୟାଣ ବିଗହା ଗ୍ରାମରେ ନୀତୀଶ ଜନ୍ମଲାଭ କରିଥିଲେ । ତାଙ୍କ ବାପା ରାମଲଖନ ବାବୁ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଭାରତ ସ୍ୱାଧୀନତା ଲାଭ କରିବା ପରେ ସେ କଂଗ୍ରେସ ନେତା ରୂପେ ପରିଚିତ ହୋଇଥିଲେ । ରାମଲଖନ୍‌ ନୀତୀଶଙ୍କୁ ଶ୍ରଦ୍ଧାରେ ମୁନ୍ନା ଡାକୁଥିଲେ । ମୁନ୍ନା ପାଟନା କଲେଜ ଅଫ୍‌ ଇଞ୍ଜିନିୟରିଂରୁ ବିଟେକ୍‌ ପାସ୍‌ କରିଥିଲେ । ସେତେବେଳେ ଇଞ୍ଜିନିୟରିଂ ପାଠର ଯଥେଷ୍ଟ ଖାତିର ଥିଲା । ଗ୍ରାମବାସୀ ନୀତୀଶଙ୍କୁ ଇଞ୍ଜିନିୟର ବାବୁ ଡାକୁଥିଲେ । ନୀତୀଶଙ୍କ ଇଞ୍ଜିନିୟରିଂ କଲେଜ ସହପାଠୀ ଅରୁଣ ସିହ୍ନା ତାଙ୍କ ଲିଖିତ ପୁସ୍ତକ ‘ନୀତୀଶ କୁମାର: ଦି ରାଇଜ୍‌ ଅଫ୍‌ ବିହାର’ରେ ଲେଖିଛନ୍ତି-ରାଜ କପୁରଙ୍କ ଅଭିନୀତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦେଖିବା ପାଇଁ ନୀତୀଶ ପାଗଳପ୍ରାୟ ଥିଲେ । ନୀତୀଶଙ୍କୁ ୧୫୦ ଟଙ୍କା ଛାତ୍ରବୃତ୍ତି ମିଳୁଥିଲା ଯାହା ତାଙ୍କର ମାସିକ ବହି ଓ ମାଗାଜିନ୍‌ କିଣାରେ ସରିଯାଉଥିଲା । ପଢ଼ା ଶେଷ କରି ନୀତୀଶ ବିଜୁଳି ବିଭାଗରେ ଚାକିରି କଲେ । ମାତ୍ର ଚାକିରି ପ୍ରତି ତାଙ୍କର ରୁଚି ନଥିଲା । ତେଣୁ ରାଜନୀତିରେ ପାଦ ଦେଲେ ।’

ଘଟଣା ଚକ୍ରରେ ମଗଧ ମହିଳା କଲେଜର ଛାତ୍ରୀ ମଂଜୁ କୁମାରୀ ସିହ୍ନାଙ୍କ ସହିତ ନୀତୀଶଙ୍କର ଭେଟ ହେଲା । ଦୁହିଁଙ୍କ ବନ୍ଧୁତା କ୍ରମେ ପ୍ରେମ ଓ ବିବାହ ଆଡ଼କୁ ଆଗେଇଲା । ଜାତିଗତ କାରଣରୁ ମଂଜୁଙ୍କ ବାପା ପ୍ରଥମେ ରାଜି ହୋଇ ନଥିଲେ । କିନ୍ତୁ ଇଞ୍ଜିନିୟରିଂ ପୁଅକୁ ହାତଛଡ଼ା କରିବା ଠିକ ହେବନି ଭାବି ନୀତୀଶଙ୍କ ଘରକୁ ଗଲେ । ଯୌତୁକ ବାବଦକୁ ୨୨ ହଜାର ଟଙ୍କା ସ୍ଥିର ହେବା ପରେ ଦୁଇ ପରିବାର ମଧ୍ୟରେ ବିବାହ ପକ୍କା ହୋଇଗଲା । ଯୌତୁକ କଥା ନୀତୀଶଙ୍କ କାନରେ ପଡ଼ିବା କ୍ଷଣି ସେ ତୀବ୍ର ପ୍ରତିବାଦ କରିଥିଲେ । ବିନା ଯୌତୁକରେ ବିବାହ କରିବା ପାଇଁ ବାପାଙ୍କୁ ସଫା ସଫା କହିଦେଲେ । ନୀତୀଶଙ୍କ ଯୁକ୍ତି ଶୁଣି ତାଙ୍କ ଭାବୀ ଶଶୁର ‘ଆନ୍ଦୋଳନକାରୀକୁ ଜ୍ୱାଇଁ କରିବେନି’ କହି ପଛକୁ ହଟିଗଲେ । ମାତ୍ର ମଂଜୁ ଓ ନୀତୀଶଙ୍କ ପ୍ରେମ ନିକଟରେ ଉଭୟ ପରିବାର ନଇଁବାକୁ ବାଧ୍ୟ ହେଲେ । ୧୯୭୩ ଫେବୃଆରୀ ୨୨ ତାରିଖରେ ଦୁହେଁ କୋର୍ଟରେ ବିବାହ କଲେ ।

୧୯ ମାସ ଜେଲ ରହଣି ନୀତୀଶଙ୍କୁ ଦେଲା ନୂଆ ଜୀବନ

୧୯୭୪ରୁ ୧୯୭୭ ଭିତରେ ନୀତୀଶ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଜରୁରୀକାଳୀନ ଶାସନ ବିରୋଧୀ ଆନ୍ଦୋଳନରେ ଝାସ ଦେଲେ । ଫଳରେ ତାଙ୍କୁ ୧୯ ମାସ ଧରି ଜେଲରେ ରହିବାକୁ ପଡ଼ିଥିଲା । ୧୯୮୫ରେ ନୀତୀଶ ପ୍ରଥମ ଥର ପାଇଁ ବିହାର ବିଧାନସଭାକୁ ନିର୍ବାଚିତ ହେଲେ । ୧୯୮୭ରେ ଯୁବ ଲୋକଦଳର ସଭାପତି ହେଲେ । ୧୯୮୭ରୁ ୧୯୮୯ ପର୍ଯ୍ୟନ୍ତ ବିହାର ଜନତା ପାର୍ଟିର ସାଧାରଣ ସମ୍ପାଦକ ରହିଲେ । ୧୯୯୪ରେ ନୀତୀଶ ଜନତା ଦଳ ଛାଡ଼ି ଜର୍ଜ ଫର୍ଣ୍ଣାଡିସଙ୍କ ସହ ମିଶି ସମତା ପାର୍ଟି ଗଠନ କଲେ । ୧୯୯୬ରେ ସମତା ପାର୍ଟି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ଯୋଗ ଦେଲା । ୧୯୯୮-୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ନୀତୀଶ କୁମାର ରେଳବାଇ, ସଡ଼କ ପରିବହନ ଓ କୃଷି ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇଥିଲେ ।

୨୦୦୦-୨୦୧୦: ବିଜେପି ସମର୍ଥନରେ ତିନିଥର ମୁଖ୍ୟମନ୍ତ୍ରୀ

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସମର୍ଥନରେ ନୀତୀଶ ୨୦୦୦ ମାର୍ଚ୍ଚ ୩ ତାରିଖରେ ପ୍ରଥମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ । ମାତ୍ର ବହୁମତ ହାସଲ କରି ନପାରି ମାତ୍ର ୭ ଦିନ ପରେ ଅର୍ଥାତ୍‌ ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ସେତେବେଳେ ଏନ୍‌ଡିଏ ୧୫୧ ଓ ଲାଲୁ ଯାଦବଙ୍କ ଆରଜେଡି ୧୫୯ ଆସନରେ ଜିତିଥିଲେ । ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ଥିଲା ୧୬୩ । ୨୦୦୩ରେ ନୀତୀଶ କୁମାରଙ୍କ ସମତା ପାର୍ଟି ଶରଦ ଯାଦବଙ୍କ ଜନତା ଦଳରେ ମିଶିଗଲା । ତେବେ ନୀତୀଶ ବିଜେପି ସହିତ ମେଂଟ ଧର୍ମ ପାଳନ କରୁଥିଲେ । ସମତା ପାର୍ଟି ଓ ଜନତା ଦଳ ମିଶି ଜନତା ଦଳ ୟୁନାଇଟେଡ୍‌ ଗଠିତ ହେଲା । ଉକ୍ତ ପାର୍ଟିର ମୁଖିଆ ହେଲେ ନୀତୀଶ କୁମାର । ୨୦୦୫ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସହ ମିଶି ଜେଡିୟୁ ମଇଦାନକୁ ଓହ୍ଲାଇଥିଲା । ସଂଖ୍ୟାଗରିଷ୍ଠ ଆସନ ଲାଭ କରି ନୀତୀଶ କୁମାର ୨୦୦୫ ନଭେମ୍ବର ୨୪ ତାରିଖରେ ଦ୍ୱିତୀୟ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ । ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀ ହେବାପରେ ନୀତୀଶ ୫ ବର୍ଷ କାଳ ଶାସନ କଲେ । ୨୦୧୦ରେ ନୀତୀଶ ଏନ୍‌ଡିଏ ସହ ମିଶି ବିଧାନସଭା ନିର୍ବାଚନ ଲଢ଼ିଥିଲେ । ବହୁମତ ହାସଲ କରି ୨୦୧୦ ନଭେମ୍ବର ୨୬ ତାରିଖରେ ତୃତୀୟ ବାର ବିହାର ମୁଖ୍ୟମନ୍ତ୍ରୀ ହେଲେ ।

୨୦୧୪ରେ ‘ଆରଜେଡି’କୁ କିସ୍‌, ୨୦୧୭ରେ ମିସ୍‌

ବିଜେପିରୁ ଅଲଗା ହୋଇ ନୀତୀଶ ୨୦୧୩ରେ କଂଗ୍ରେସ ଓ ଆରଜେଡି ସହ ମହାଗଠବନ୍ଧନ କଲେ । ମାତ୍ର ୨୦୧୪ ମେ’ ମାସରେ ଇସ୍ତଫା ଦେଲେ । ସେତେବେଳେ ମାତ୍ର ୬ ମାସ ପାଇଁ ଜୀତନ ରାମ ମାଂଝି ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୫ ଫେବୃଆରୀରେ ବିଧାନସଭା ନିର୍ବାଚନର କିଛିଦିନ ପୂର୍ବରୁ ମାଂଝିଙ୍କ ସ୍ଥାନରେ ନୀତୀଶ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ୨୦୧୫ରେ ନୀତୀଶ ଆରଜେଡି ଓ କଂଗ୍ରେସ ସହ ମିଶି ମହାଗଠବନ୍ଧନ କରି ବିଧାନସଭା ନିର୍ବାଚନ ଲଢ଼ିଲେ । ୨୪୩ ଆସନରୁ ମହାଗଠବନ୍ଧନକୁ ୧୭୮ ଆସନ ମିଳିଲା । ଫଳରେ ୨୦୧୫ ନଭେମ୍ବର ୨୦ ତାରିଖରେ ନୀତୀଶ ପଂଚମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ । ଲାଲୁଙ୍କ ପୁଅ ତେଜସ୍ୱୀ ଉପ-ମୁଖ୍ୟମନ୍ତ୍ରୀ ହେଲେ । ୨୦୧୭ରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ନୀତୀଶ ଆରଜେଡିକୁ ‘ଗୁଡ୍‌ ବାଏ’ କହି ବିଜେପି ହାତ ଧରିଲେ । ୨୦୨୨ ଅଗଷ୍ଟ ୯ରେ ପୁଣି ବିଜେପିକୁ ‘ଅଲ୍‌ ବିଦା’ କହି ଆରଜେଡି ସହ ମିଶି ସରକାର ଗଠନ କରିଛନ୍ତି ।