ବନ୍ଦ ହେଉ କୁକୁଡ଼ା ଲଢେ଼ଇ

କୁକୁଡ଼ା ଲଢେ଼ଇ ଦେଖିଛନ୍ତି? ମାଲିକକୁ ମାଲାମାଲ କରିବା ପାଇଁ ଦୁଇଟା କୁକୁଡ଼ା ଗୋଡ଼ରେ ଲଗା ଯାଇଥିବା ତୀକ୍ଷ୍ଣ କାତିରେ ପରସ୍ପରକୁ ରକ୍ତାକ୍ତ କରି ଜୀବନକୁ ବାଜି ଲଗାଇ ଦିଅନ୍ତି । ଲଢେ଼ଇର ପରିଣତି ବିଷୟରେ ଚିନ୍ତା କରିବାର ଶକ୍ତି ସେମାନଙ୍କ ନିକଟରେ ନଥାଏ । ମାତ୍ର ନିର୍ବାଚନ ମଇଦାନରେ ବିବେକୀ ମଣିଷ ଯେତେବେଳେ ଜଣେ ଜଣେ କୁକୁଡ଼ା ଚରିତ୍ରରେ ଅବତୀର୍ଣ୍ଣ ହୁଅନ୍ତି । ସେମାନଙ୍କ ମୁଣ୍ଡରେ ଆମର କୌଣସି ପରାମର୍ଶ ପ୍ରବେଶ କରେନା ।

କିଏ କୋଉଠାରୁ ନିର୍ବାଚନ ଲଢ଼ିବ? ତାହା ଦଳର ମୁଖିଆଙ୍କ ଉପରେ ଛାଡ଼ି ଦିଆଯାଇଛି । ମୁଖିଆଙ୍କ ନିଷ୍ପତିକୁ ଅବମାନନା କରିବାର ସରଳ ଜବାବ ଦେବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଇଭିଏମ ବ୍ୟବସ୍ଥା କରାଯାଇଛି । ଟିକେଟ୍‌ ଆଶାୟୀଙ୍କୁ ମୁଣ୍ଡରେ ବସାଇ ଦଳର ମୁଖିଆଙ୍କୁ ଅପମାନିତ କରିବା, ରାଜଦାଣ୍ଡରେ ପ୍ରତିବାଦ କରିବା, ପୋଷ୍ଟରରେ ନିଅାଁ ଲଗାଇବା, ପୋଷ୍ଟରକୁ ଚିରିଦେବା ଭଳି ସଂଗୀନ ଅପରାଧରୁ କର୍ମୀମାନେ ଦୂରେଇ ରୁହନ୍ତୁ । ହାଣ ମୁହଁରେ କୌଣସି ନେତା ପିଠିରେ ପଡ଼ିବେନି ।

ଅତୀତରେ ଯେତୋଟି ନିର୍ବାଚନ ହୋଇଛି; ସେଥିରେ ଯୋଉମାନେ ଦଳୀୟ ନେତାଙ୍କ ପାଇଁ ବଳି ପଡ଼ିଛନ୍ତି; ସେମାନଙ୍କ ପିଠିରେ କୋଉ ରାଜନେତା କୋଉ ରାଜନୈତିକ ଦଳ ପଡ଼ିଥିବାର କେହି ଦେଖିଛ କି? କୋଉ ପ୍ରଶାସନ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି?

ନିର୍ବାଚନ ପରେ ସବୁ ଦଳର ନେତାମାନେ ବିଧାନସଭା ଓ ସଂସଦରେ ହାତକୁ ହାତ ମିଳାଇ ଆପଣା ମତଲବ ହାସଲ କରିବାକୁ ବ୍ୟସ୍ତ ରୁହନ୍ତି; ତେବେ କର୍ମୀମାନେ ହଣାହଣି, କାମୁଡ଼ା କାମୁଡ଼ି, ଗୁଳି ମରାମରି କ’ଣ ପାଇଁ?

ମୋ ମତରେ ନିର୍ବାଚନ ମଇଦାନରେ ନେତା-ନେତାଙ୍କୁ ଲଢ଼ିବାକୁ ମଉକା ଦିଆଯାଉ । କର୍ମୀମାନେ ରକ୍ତପାତରୁ ଦୂରେଇ ରୁହନ୍ତୁ । ନିର୍ବାଚନ ପରେ ବିଜୟୀ ଲୋକଟିକୁ ମୁଣ୍ଡରେ ବସାଇ ରାଜଦାଣ୍ଡରେ ହସଖୁସି ମନାନ୍ତୁ । ଏଇଟା ହିଁ ଗଣତନ୍ତ୍ର ଶାସନ ।