ବିବାଦୀୟ ମନ୍ତବ୍ୟ ଦେବାକୁ ଅଭିନେତା ନାସିରୁଦ୍ଦିନ୍‌ଙ୍କୁ ବାରଣ

ଅଭିନେତା ନାସିରୁଦ୍ଦିନ୍‌ ଶାହ ଏବେ..

ମୁମ୍ବାଇ: ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ଟିପ୍ପଣୀ ଦେଇ ଆଲୋଚନା, ସମାଲୋଚନାର ପରିସରକୁ ଟାଣି ହୋଇ ଯାଇଥିବା ଅଭିନେତା ନାସିରୁଦ୍ଦିନ୍‌ ଶାହ ଏବେ ଶାନ୍ତ ଅଛନ୍ତି । ବିବାଦୀୟ ସାମାଜିକ ପ୍ରସଙ୍ଗଠାରୁ ଜାଣିଶୁଣି ଦୂରେଇ ରହୁଛନ୍ତି ନାସିରୁଦ୍ଦିନ୍‌ । ତାଙ୍କର ବିବାଦୀୟ ମନ୍ତବ୍ୟକୁ ପ୍ରକାଶ କରି ଚର୍ଚ୍ଚାର ପରିସରକୁ ଆସିଥିବା କିଛି ଖବରକାଗଜ ଓ ଚାନେଲ ମଧ୍ୟ ନାସିରୁଦ୍ଦିନଙ୍କୁ ଭେଟି ପାରୁନାହାନ୍ତି । ଏପରି ବ୍ୟତିକ୍ରମ ପଛରେ ନାସିରୁଦ୍ଦିନଙ୍କ ପତ୍ନୀ ରତ୍ନା ପାଠକ ଶାହ ଦାୟୀ । ସ୍ୱାମୀଙ୍କ ସୁରକ୍ଷା କାମନା କରି ରତ୍ନା ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏକ ମିଡିଆ ସଂସ୍ଥାକୁ ସାକ୍ଷାତକାର ଦେବା ଅବସରରେ ରତ୍ନା କହିଛନ୍ତି, ‘ଗତ କିଛିବର୍ଷ ଧରି ନାସିରୁଦ୍ଦିନଙ୍କ ପ୍ରତି ବିପଦର ଆଶଙ୍କା ବୃଦ୍ଧି ପାଇଛି । ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରି ନାସିରୁଦ୍ଦିନ କିଛି ସଂଗଠନ ଓ କିଛି ଲୋକଙ୍କ ଦୃଷ୍ଟିରେ ଖଳନାୟକ ପ୍ରାୟ । ଯେକୌଣସି ସମୟରେ ଘର ଉପରେ ଢେଲାମାଡ଼ ଆଶଙ୍କା ଚିନ୍ତାରେ ପକାଇଛି । ଆଗକୁ ନାସିରୁଦ୍ଦିନ୍‌ ଯେପରି ବିବାଦୀୟ ମନ୍ତବ୍ୟ ଦେଇ ବିପଦକୁ ବରଣ ନକରନ୍ତି । ସେଥିପାଇଁ ତାଙ୍କୁ ବାରମ୍ବାର ବୁଝାଉଛି ।

ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ, ନାସିରୁଦ୍ଦିନଙ୍କ ପ୍ରତିବାଦ କିଛି ମାତ୍ରାରେ ସ୍ୱାଗତଯୋଗ୍ୟ । କାରଣ ଭୁଲ କାମକୁ ଦେଖି ନିରବ ରହିବା ଫଳରେ ଅପରାଧ ପ୍ରବଣତା ବୃଦ୍ଧି ପାଇବ । ପ୍ରତିବାଦର ସମ୍ମୁଖୀନ ହେବା ଫଳରେ ଅସାମାଜିକ ଲୋକମାନେ କିଛି ମାତ୍ରାରେ ନିୟନ୍ତ୍ରଣ ଭିତରେ ରହିଥାନ୍ତି ।’