ଚାହିଁଛନ୍ତି ମହାପ୍ରଭୁ, ଲୁଟୁଛନ୍ତି ନବୀନ!

ରାଜ୍ୟବାସୀଙ୍କୁ ନାନା ଉପାୟରେ ଲୁଟ ଚାଲିଛି..

ପୁରୀ: ୨୦୦୦ ମସିହାରୁ ରାଜ୍ୟବାସୀଙ୍କୁ ନାନା ଉପାୟରେ ଲୁଟ ଚାଲିଛି । ରାଜ୍ୟର ଜମି, ଜଳ, ଜଙ୍ଗଲ, ଖଣିଖାଦାନ, ନଦୀପଠା, ଲଘୁଖଣିଜକୁ ଅଣଓଡିଆ ଶିଳ୍ପପତିଙ୍କ ହାତକୁ ଦୀର୍ଘମିଆଦି ସୂତ୍ରରେ ଟେକି ଦିଆଯାଉଛି । ସାଢେ଼ ଚାରିକୋଟି ଜନତାଙ୍କ ଝାଳବୁହା ଧନରେ ତିଆରି ରାଜକୋଷକୁ ଦିନରାତି ଲୁଟୁଛ । ଏତେସବୁ ଖାଇବା ପରେ ମଧ୍ୟ ବିଜେଡିର ଭୋକ ମେଂଟୁନି । ଶେଷକୁ ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରାଙ୍କ ଜମି ବିକିବାଠାରୁ ଆରମ୍ଭ କରି ଭକ୍ତଙ୍କ ଦାନକୁ ବି ଚଳୁ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସାଧାରଣ ଲୋକଙ୍କ ମତରେ ଯୋଉଦିନଠାରୁ ଶ୍ରୀମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତ କରାଗଲା । ସେହିଦିନଠାରୁ ଶ୍ରୀମନ୍ଦିର ଭାଗ୍ୟାକାଶକୁ ରାହୁଗ୍ରାସ କଲା । ଖାସ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ମହାପ୍ରଭୁଙ୍କ ରାଜକୋଷକୁ ଚିପୁଡା ଚାଲିଛି । ମହାପ୍ରଭୁଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପର୍ଯ୍ୟନ୍ତ ଯାବତୀୟ କାର୍ଯ୍ୟରେ ପାଣି ଭଳି ଟଙ୍କା ବୋହିଯାଉଛି ।

୨୦୨୨ରେ ରଥଖଳା ପାଇଁ ଖର୍ଚ୍ଚ କରାଯାଇଛି ୧ କୋଟି ୨୧ ଲକ୍ଷ ୮୧ ହଜାର ୧୬୫ ଟଙ୍କା । ରଥଖଳା ବାବଦକୁ ବ୍ୟୟ ଅଟକଳ ୧୫ ଲକ୍ଷ ଟଙ୍କା ରଖାଯାଇଥିଲା ବେଳେ ଅତିରିକ୍ତ ୧ କୋଟି ୬ ଲକ୍ଷ ୮୧ ହଜାର ୧୬୫ ଟଙ୍କା ଖର୍ଚ୍ଚ କରାଯାଇଛି । ଚନ୍ଦନଯାତ ପାଇଁ ବ୍ୟୟ ଅଟକଳ ରଖାଯାଇଥିଲା ୫ ଲକ୍ଷ ୫୦ ହଜାର ଟଙ୍କା; ମାତ୍ର ଖର୍ଚ୍ଚ କରାଯାଇଛି ୧୧ ଲକ୍ଷ ୨୮ ହଜାର ୮୫୦ ଟଙ୍କା । ଚନ୍ଦନଯାତରେ ଅତିରିକ୍ତ ଖର୍ଚ୍ଚ ରାଶି ବଢ଼ିଛି ୫ ଲକ୍ଷ ୭୮ ହଜାର ୮୫୦ ଟଙ୍କା ।

ନୀତିକାନ୍ତିରେ ବ୍ୟବହୃତ ଘିଅ, ଲହୁଣି ସମେତ ଅନ୍ୟାନ୍ୟ ସାମଗ୍ରୀ ପାଇଁ ୩ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟ ଚିଠା ପ୍ରସ୍ତୁତ କରାଯାଇଥିଲା; ମାତ୍ର ଖର୍ଚ୍ଚ ହୋଇଗଲା ୫ ଲକ୍ଷ ୪ ହଜାର ୬୩୦ ଟଙ୍କା । ପତାକା ବାବଦକୁ ବ୍ୟୟ ଅଟକଳ ଥିଲା ୮ ଲକ୍ଷ ୭୫ ହଜାର ଟଙ୍କା; ମାତ୍ର ଖର୍ଚ୍ଚ ହୋଇଗଲା ୧୩ ଲକ୍ଷ ୮୩ ହଜାର ଟଙ୍କାରୁ ଅଧିକ । ବିମାନବଡୁଙ୍କ ପାଉଣା ବାବଦ ବ୍ୟୟ ଅଟକଳ ରଖାଯାଇଥିଲା ୧ ଲକ୍ଷ ୬୬ ହଜାର ୨୫୦ ଟଙ୍କା; କିନ୍ତୁ ଖର୍ଚ୍ଚ ହୋଇଗଲା ୬ ଲକ୍ଷ ୬୪ ହଜାର ୩୩୫ ଟଙ୍କା । ସେବକଙ୍କ ସ୍ୱାସ୍ଥ୍ୟବୀମା ବାବଦକୁ ୭୬ ଲକ୍ଷ ୭୫ ହଜାର ଟଙ୍କା ରଖାଯାଇଥିଲା; ମାତ୍ର ଖର୍ଚ୍ଚ ହୋଇଛି ୩ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ।

ଅତିରିକ୍ତ ଖର୍ଚ୍ଚ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ମନ୍ତବ୍ୟ ଦେଇଛି; ସେଭଳି ମନ୍ତବ୍ୟ ଜଣେ ସାଧାରଣ ମଳିମୁଣ୍ଡିଆ ହିଁ ଦେଇପାରେ । ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତ କରିବା କ’ଣ ଦରକାର ଥିଲା । ଦରଦାମ ବୃଦ୍ଧି କାରଣରୁ ଅତିରିକ୍ତ ଖର୍ଚ୍ଚରାଶି ଆକାଶକୁ ଛୁଇଁଛି ।

ମୁଖ୍ୟମନ୍ତ୍ରୀଙ୍କ ଜଣେ ଅନୁଗତଙ୍କ ମତରେ ନବୀନବାବୁଙ୍କ ନାମକୁ ବ୍ୟବହାର କରି ଧୂର୍ତ ପାଣ୍ଡିଆନ୍‌ ସବୁ ଖାଇଯାଉଛି । କିନ୍ତୁ ପ୍ରକୃତ ସତ କେବଳ ସେତିକି ନା ଆଉ କିଛି । ଶୁଣିବାକୁ ମିଳୁଛି, ଆଗାନୀ ନିର୍ବାଚନ ପାଇଁ ପାଣ୍ଡିଆନ୍‌ ବାବୁ ଏତିକିବେଳୁ ନିର୍ବାଚନ ଚାନ୍ଦା ସଂଗ୍ରହରେ ଲାଗିପଡ଼ିଛନ୍ତି । ତାଙ୍କର ପବିତ୍ର କାମରେ ହାତ ମିଳାଇଛନ୍ତି ମୁଖ୍ୟ ଶାସନ ସଚିବ ସୁର ମହାପାତ୍ର ।

ମାତ୍ର ଶ୍ରୀମନ୍ଦିର ସେବକ ମଣ୍ଡଳୀଙ୍କ ଭିତରୁ ଜଣେ କହିଛନ୍ତି, ମହାପ୍ରଭୁଙ୍କ ପାଖରେ କିଛି ଅଭାବ ନାହିଁ । ଯେତେ ଖାଇବ, ସେତେ ପଶିବ ।