ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ ମିଳିଲା ଲିଗାଲ୍ ନୋଟିସ୍

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ କରାଯାଇଛି ଲିଗାଲ୍ ନୋଟିସ୍। ଫିଲ୍ମର ଟ୍ରେଲର୍ ରିଲିଜ୍ ହେବା ପରଠାରୁ ବିବାଦ ଘେରରେ ରହିଛି। ଏହାକୁ ନେଇ ଏବେ ଫିଲ୍ମ ନିର୍ମାତା ଶ୍ରୀ ରାଜପୁତ କରଣୀ ସେନା ପକ୍ଷରୁ ଏବେ ଲିଗାଲ୍ ନୋଟିସ୍ କରାଯାଇଛି। ଅନେକ ଲୋକ ଫିଲ୍ମକୁ ବୟକଟ୍ କରିବାକୁ ଦାବି କରୁଥିବା ବେଳେ ସୋଶାଲ ମିଡିଆରେ ଏନେଇ ବୟକଟ୍ ଲକ୍ଷ୍ମୀ ବମ୍ ହ୍ୟାଶ୍ ଟ୍ୟାଗ୍ ମଧ୍ୟ ଟ୍ରେଣ୍ଡ କରୁଛି।

ସୂଚନା ଅନୁସାରେ ଫିଲ୍ମର ଟାଇଟେଲକୁ ନେଇ ଅନେକେ ଆପତ୍ତି ଉଠାଇଥିବା ବେଳେ ଏହା ଲଭ୍ ଜିହାଦ୍ ଭଳି ଅପରାଧକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ମଧ୍ୟ ଉଠିଛି। ନୋଟିସରେ କୁହାଯାଇଛି ଯେ, ଫିଲ୍ମର ନାମ ‘ଲକ୍ଷ୍ମୀ ବମ୍’ ରଖାଯାଇଥିବାରୁ ଏହା ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଆଘାତ ଦେଇଛି। ଏହା ଦେବୀ ଲକ୍ଷ୍ମୀଙ୍କ ପ୍ରତି ଅପମାନଜନକ ଶବ୍ଦ। ଜାଣିଶୁଣି ଦେବୀ ଲକ୍ଷ୍ମୀଙ୍କୁ ଅପମାନ ଦେବାକୁ ଏଭଳି ଟାଇଟେଲ ରଖାଯାଇଛି ବୋଲି ଅଭିଯୋଗ କରାଯାଇଛି।

ଏହାସହ ଫିଲ୍ମ ନିର୍ମାତାମାନଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ନୋଟିସରେ କୁହାଯାଇଛି। ଫିଲ୍ମ ମାଧ୍ୟମରେ ସମାଜରେ ହିନ୍ଦୁ ଧର୍ମର ଦେବଦେବୀ, ରୀତିନୀତି ଏବଂ ଭଗବାନଙ୍କ ବିରୁଦ୍ଧରେ ଭୁଲ୍ ଧାରଣା ପ୍ରସାର କରାଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ହିନ୍ଦୁ ସେନା ନାମକ ଏକ ସଂଗଠନ ମଧ୍ୟ ଫିଲ୍ମର ନାମ ବଦଳାଇବାକୁ ଦାବି କରିଥିଲା।