ଭୋଟଦାନ ବେଳେ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ,କଟକଣା ହଟିଲେ ମୁଁ ଆପଣଙ୍କ ପାଖକୁ ଯିବି: ନବୀନ

ଭୁବନେଶ୍ୱର (ଏସ ନ୍ୟୁଜ ): ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନବୀନ ନିବାସରୁ ଡିଜିଟାଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଚଳଚଞ୍ଚଳ ହୋଇପଡିଥିବା ବେଳେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ନବୀନ ନିବାସରୁ ତିର୍ତୋଲବାସୀଙ୍କୁ କରିଛନ୍ତି ସମ୍ବୋଧନ । କୋଭିଡ଼ ଗାଇଡ଼ଲାଇନ ସମସ୍ତେ ମାନିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମୋ ପ୍ରତି ଆପଣମାନଙ୍କ ଭଲପାଇବା ମୁଁ ଭଲଭାବେ ଜାଣିଛି। ଆସିବାକୁ ଇଛାଥିଲେ ବି କରୋନା ଯୋଗୁଁ ଆପଣମାନେ ଆସିପାରିନାହାନ୍ତି। କରୋନା କଟକଣା ହଟିଲେ ମୁଁ ନିଶ୍ଚିତ ଆପଣମାନଙ୍କ ପାଖକୁ ଯିବି।

ପ୍ରଚାର ମାଧ୍ୟମରେ ନବୀନ ଆହୁରି କହିଛନ୍ତି ଯେ, ‘ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଏଥିପାଇଁ କୋଭିଡ ଯୋଦ୍ଧା ଓ ଆପଣମାନଙ୍କ ସହଯୋଗ ପାଇଁ ଧନ୍ୟବାଦ । ତିର୍ତ୍ତୋଲର ବିକାଶ ନେଇ ବିଷ୍ଣୁ ବାବୁ ମୋତେ ବହୁବାର ଭେଟିଥିଲେ । ତିର୍ତ୍ତୋଲବାସୀ ସବୁବେଳେ ବିଜୁ ପରିବାର ସହ ରହିଆସିଛନ୍ତି । ତିର୍ତ୍ତୋଲରେ ଅନେକ ବିକାଶମୂଳକ ପଦକ୍ଷେପ ନିଆଯାଇଛି ।ଆପଣମାନଙ୍କ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛୁ। ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଉଛୁ। ତିର୍ତ୍ତୋଲ ଅଞ୍ଚଳରେ ମିଶନଶକ୍ତିର ମା’ମାନେ ବହୁ ଭଲ କାମ କରିଛନ୍ତି ।’ ଏମିତି ଭଲ କାମ କରୁଥାନ୍ତୁ, ମୁଁ ଆପଣମାନଙ୍କ ସହ ରହିଛି । ଭୋଟଦାନ କେନ୍ଦ୍ରକୁ ଯିବା ବେଳେ ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ନବୀନ କହିଛନ୍ତି।