ଯମପୁରରୁ ଫେରି ଓସ୍କାର ଜିତିଲେ ‘ନାଟୁ ନାଟୁ’ ନୃତ୍ୟ ନିର୍ଦ୍ଦେଶକ

ଏହି ଗୀତଟିକୁ ପ୍ରଥମେ ଗୋଲଡେନ୍‌ ଗ୍ଲୋବ ମିଳିସାରିଛି….

ମୁମ୍ବାଇ: ଚଳଚ୍ଚିତ୍ର ‘ଆରଆରଆର’ ଗୀତ ‘ନାଟୁ-ନାଟୁ’କୁ ଶ୍ରେଷ୍ଠ ଅସଲ ସଙ୍ଗୀତ ପର୍ଯ୍ୟାୟରେ ଓସ୍କାର ପୁରସ୍କାର ମିଳିଛି । ୨୦୦୮ରେ ଚଳଚ୍ଚିତ୍ର ‘ସ୍ଲମ୍‌ ଡଗ୍‌ ମିଲେନିୟର’ ଗୀତ ‘ଜୟ ହୋ’ ପାଇଁ ଏଆର ରେହମନ ଓସ୍କାର ଲାଭ କରିଥିଲେ । ୧୫ ବର୍ଷ ପରେ ଭାରତକୁ ଏହି ପୁରସ୍କାର ମିଳିଛି । ଜୟ ହୋ’ ଗୀତଟିକୁ ଓସ୍କାର ମିଳିଥିଲା ସିନା; କିନ୍ତୁ ତାହା ବ୍ରିଟିଶ ଚଳଚ୍ଚିତ୍ର ଥିଲା ।

ପ୍ରକୃତ ପକ୍ଷେ କହିଲେ, ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବେ ‘ନାଟୁ-ନାଟୁ’ ଗୀତଟି ଓସ୍କାର ଲାଭ କରିଛି । ଜୁନିଆର ଏନ୍‌ଟିଆର ଓ ରାମଚରଣ ପରଦା ଉପରେ କମାଲ କରିଛନ୍ତି । ଦୁହିଁଙ୍କର ଷ୍ଟେପ୍‌ ଭିତରେ ସମାନତା ଆଣିବା ପାଇଁ ନୃତ୍ୟ ନିର୍ଦ୍ଦେଶକ ପ୍ରେମ ରକ୍ଷିତ ୧୧୦ଟି ମୁଭ୍‌ ତିଆରି କରିଥିଲେ । ଏହି ଗୀତଟିକୁ ପ୍ରଥମେ ଗୋଲଡେନ୍‌ ଗ୍ଲୋବ ମିଳିସାରିଛି । ମଜାଦାର କଥା ହେଉଛି, ଜୀବନକୁ ତୁଚ୍ଛ ମଣି ଦିନେ ରକ୍ଷିତ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ।

ମାତ୍ର ମୃତ୍ୟୁଦେବତା ତାଙ୍କୁ ଜୀବନ ଦାନ କରି ପଠାଇ ଦେଇଥିଲା ଓସ୍କାର ମଇଦାନକୁ । ଗୀତଟିର ରେକର୍ଡିଂ ଓ ଚଳଚ୍ଚିତ୍ର ରୂପାୟନ ଅତ୍ୟନ୍ତ ରୋଚକପୂର୍ଣ୍ଣ ଥିଲା । ନାଟୁ-ନାଟୁ’ ସଂଗୀତ ନିର୍ଦ୍ଦେଶକ ଏମ୍‌ଏମ୍‌ କିରୱାନୀଙ୍କ ବାସ୍ତବ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା । ଅକାଳ ମୃତ୍ୟୁକୁ ଭୟ କରି ସେ ପ୍ରାୟ ଦେଢ଼ବର୍ଷ କାଳ ସନ୍ନ୍ୟାସୀ ଜୀବନ କାଟିଥିଲେ । ଏପରିକି ଶୁଭ ସମୟ ଦେଖି କିରୱାନୀ ତାଙ୍କ ଗାଡ଼ି ଭିତରୁ ପଦାକୁ ଆସୁଥିଲେ । ଦୈବଯୋଗକୁ ଏୟା ଲେଖାଥିଲା, ନାଟୁ-ନାଟୁ’ ଗୀତ ପାଇଁ ତାଙ୍କୁ ଓସ୍କାର ମିଳିଲା । ଖାଲି ସେତିକି ନୁହେଁ, ନାଟୁ-ନାଟୁ’ ଗୀତଟିରେ କଣ୍ଠଦାନ କରିଛନ୍ତି କିରୱାନୀଙ୍କ ପୁଅ କାଳଭୈରବ ।