ଆଜି ଆରୟନ ଖାନ ଜାମିନ ଆବେଦନର ହେବ ଶୁଣାଣି

ମୁମ୍ବାଇ: ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନର ଆଜି ଶୁଣାଣି ହେବ । ଏନଡିପିସି କୋର୍ଟରେ ଏହି ଶୁଣାଣି ଦିନ ୨ଟା ୪୫ରେ ହେବାର ଅଛି । ଏହାସହ ଆଜି ଏନସିବି କୋର୍ଟରେ ଜବାବ ଦାଖଲ କରିବ । ପୂର୍ବରୁ ଅକ୍ଟୋବର ୮ରେ ମାଜିଷ୍ଟ୍ରେଟ କୋର୍ଟ ଆରୟନଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ । ହେଲେ କୋର୍ଟ ଜାମିନ୍ ଆବେଦନ ଖାରଜ କରିଦେଇଥିଲେ । ଏହା ପରେ ଏନ୍ସିବି ଆରୟନଙ୍କ ଡ୍ରାଇଭରଙ୍କୁ ପାଖାପାଖି ୧୨ ଘଂଟା ଜେରା କରିଥିଲା । କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୩ରେ ଆରୟନଙ୍କୁ ଗିରଫ କରିଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଏବେ ମୁମ୍ବାଇ ଆର୍ଥର ରୋଡ ଜେଲରେ ଅଛନ୍ତି ଆରୟନ ଖାନ । ଏନସିବି ଏହି ଡ୍ରଗ୍ସ ପାର୍ଟି ମାମଲାରେ ଏଯାଏଁ ୨୦ ଜଣଙ୍କୁ ଗିରଫ କରିସାରିଲାଣି । ସେପଟେ ମହାରାଷ୍ଟ୍ର ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଏନସିବି ଅଧିକାରୀ ସମୀର ୱାଂଖଡେ । ଏନସିବି ଜୋନାଲ ନିର୍ଦ୍ଦେଶକ ୨ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ପିଛା କରୁଥିବା ଅଭିଯୋଗ ଆଣିଛନ୍ତି । ଏନେଇ ମହାରାଷ୍ଟ୍ର ଡିଜିପିଙ୍କ ନିକଟରେ ସମୀର ୱାଂଖଡେ ଅଭିଯୋଗ ମଧ୍ୟ କରିଛନ୍ତି । ସମୀର ନିଜ ମାଙ୍କ ସମାଧୀସ୍ଥଳୀକୁ ଯାଇଥିବାବେଳେ ତାଙ୍କ ପଛରେ ଦୁଇଜଣ ପୁଲିସ କର୍ମୀ ସାଧା ପୋଷାକରେ ତାଙ୍କ ପିଛା କରିଥିଲେ ଓ ସେଠାକାର ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଦୁଇ ପୁଲିସ କର୍ମୀ ୱାଶିୟାର ପୁଲିସ ଷ୍ଟେସନର ।